Page:Jati, Jagruti o Pragati.pdf/97

From Wikisource
Jump to navigation Jump to search
This page has been proofread.

୯୮/ ଜାତି, ଜାଗୃତି ଓ ପ୍ରଗତି
କିରାଣୀ ଦଳ ଓଡ଼ିଆ ପାଠ୍ୟପୁସ୍ତକର ଅଭାବ ଦର୍ଶାଇ ଯେତେବେଳେ ଓଡ଼ିଶାର ମାଟିବଂଶ ଅବଧାନଙ୍କଠାରୁ ଓଡ଼ିଆ ଶିକ୍ଷା ପ୍ରଣାଳୀ ଛଡ଼େଇ ନେଇ ଆଧୁନିକ ପ୍ରଣାଳୀରେ ବଙ୍ଗଳା ଶିକ୍ଷା ପ୍ରଚଳନ କରିବାକୁ ଅଣ୍ଟା ଭିଡ଼ି ବାହାରିଲେ, ସେତେବେଳେ ଫକୀରମୋହନ ନିଜେ ରାତି ରାତି ଅନିଦ୍ରା ରହି ଓଡ଼ିଆ ଭାଷାଦ୍ୱାରା ଆଧୁନିକ ଶୈଳୀରେ ଇତିହାସ, ଭୁଗୋଳ, ଜୀବନୀ, ବିଜ୍ଞାନ, ସାମାଜିକ ଜ୍ଞାନ, ପୁରାଣ, କବିତା ଇତ୍ୟାିଦି ରଚନା କରି ପ୍ରମାଣ କରାଇଦେଲେ ଯେ, ଓଡ଼ିଆ ମଧ୍ୟ ଆଧୁନିକ ଶିକ୍ଷା ସମ୍ବଳିତ ପୁସ୍ତକ ରଚନା କରିପାରେ । କେବଳ ସେତିକି ନୁହେଁ, ପାଶ୍ଚାତ୍ୟ ସାହିତ୍ୟ ଅନୁକରଣରେ ସାମାଜିକ ସ୍ଥିତିକୁ ବହନ କରିଥିବା ଗଳ୍ପ, ଉପନ୍ୟାସ, କବିତା ଭଳି କାଳଜୟୀ ପୁସ୍ତକମାନ ରଚନା କରି କୁଚକ୍ରୀ ବଙ୍ଗାଳୀ ଲେଖକମାନଙ୍କୁ ମୁହଁତୋଡ଼ ଜବାବ ଦେଇ ସୂଚାଇଥିଲେ ଯେ, ଓଡ଼ିଆ ବି ଏଭଳି ସାହିତ୍ୟ ସୃଷ୍ଟି କରିପାରେ ।

ଏହା ପରର ଘଟଣା ଆମେମାନେ ସମସ୍ତେ ଜାଣିଛେ । ବଙ୍ଗାଳୀ ଚକ୍ରାନ୍ତ ମାତ୍ର ୫ ବର୍ଷ ଭିତରେ ପଣ୍ଡ ହୋଇଗଲା କେବଳ ଏହି ବ୍ୟକ୍ତିର ଓଡ଼ିଆ ପ୍ରାଣତା ଓ ପ୍ରଚଣ୍ଡ ସ୍ୱାଭିମାନୀ ବିବେକ ଯୋଗୁଁ । ଯଦିଓ ନିଜର ଜୀବନ ଜୀବିକାପାଇଁ ଇଂରେଜ ପ୍ରଶାସନ ସହିତ ଘନିଷ୍ଠତା ବଢ଼ାଇଥିଲେ, ତଥାପି ଏଥିରେ ଓଡ଼ିଆ ଜାତିର ସ୍ୱାଭିମାନକୁ ତଳେ ନ ପକାଇ ବରଂ ଉଚ୍ଚ କରିବାରେ ସେ ଏହି ଘନିଷ୍ଠତାକୁ ବ୍ୟବହାର କରିଥିଲେ । ଓଡ଼ିଆ ଜାତିର ଏହି ଚାଣକ୍ୟଙ୍କ ସ୍ଥାନ ପୂରଣ କରିବ କିଏ?

ଆଉ ଜଣେ ସୁଯୋଗ୍ୟ ସନ୍ତାନ :

ଠିକ ସେହିପରି ଆମେ ଆଉ ଜଣେ ବ୍ୟକ୍ତିଙ୍କୁ ଦେଖୁ- ମଧୁସୂଦନ ଦାସ । ହାଇସ୍କୁଲ ଶିକ୍ଷା ପରେ ଶିକ୍ଷକତାକୁ ଆଦରି ନେଇ ଯେତେବେଳେ ବାଲେଶ୍ୱର ମାଟିରେ ପାଦ ଦେଲେ ସେତେବେଳେ ସେ ମଧ୍ୟ ଅନୁଭବ କରିଥିଲେ ସ୍ୱାଭିମାନୀ ଓଡ଼ିଆଙ୍କ ଦାରୁଣ ଅବସ୍ଥାକୁ । ଏହାର ଦୂରୀକରଣପାଇଁ ଉଚ୍ଚଶିକ୍ଷିତ ଓଡ଼ିଆଙ୍କ ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ନିଜେ ଉଚ୍ଚଶିକ୍ଷା ଲାଭ କରିବାକୁ ଆଗ୍ରହୀ ହେଲେ । ମାତ୍ର ଏଠାରେ ଉଚ୍ଚଶିକ୍ଷାର କୌଣସି ସୁବିଧା ନାହିଁ । ଯାହା କେବଳ କଲିକତାରେ ହିଁ ମିଳିପାରିବ । ତେଣୁ ବାପାଙ୍କ ପାଖକୁ ନିଜର ଅଭିଳାଷ କଥା ଚିଠିଦ୍ୱାରା ଜଣାଇଦେଇ ଡଙ୍ଗା ଚଢ଼ି ଚାଲି ଯାଇଥିଲେ କଲିକତା । ସେଠାରେ ଦୀର୍ଘ ତିନିିଦିନ ଧରି ମୁଢ଼ି ଆଉ ରାସ୍ତାକଡ଼ ପାଣି ଛଡ଼ା ତାଙ୍କୁ ଆଉ କିଛି ମିଳି ନ ଥିଲା, କି କୌଣସି ଓଡ଼ିଆ ସାହାଯ୍ୟ କରିବାକୁ ଆଗେଇ ଆସି ନ ଥିଲେ ଏହି ଉଚ୍ଚାକାଂକ୍ଷୀ ଯୁବକଙ୍କ ନିକଟକୁ । ମାତ୍ର ଦୃଢ଼ ଇଚ୍ଛାଶକ୍ତି ନିକଟରେ ସମସ୍ୟା ହାର ମାନିଯାଏ- ଏହି କଥା ପ୍ରମାଣ କରିଦେଲେ ମଧୁସୂଦନ । ଉଚ୍ଚଶିକ୍ଷା ମୋହରେ, ଜାତିକୁ