Jump to content

Page:Jati, Jagruti o Pragati.pdf/28

From Wikisource
This page has been proofread.

ଜାତି, ଜାଗୃତି ଓ ପ୍ରଗତି / ୨୯

ମୁଁ କାହିଁକି ଓଡ଼ିଆ ପଢ଼ିବି ?

ସଂପ୍ରତି ଆମ ରାଜ୍ୟ ସରକାର ଅର୍ଥାଭାବ ଯୋଗୁଁ ଛାତ୍ର ଉପସ୍ଥାନ ହ୍ରାସ ଆଳରେ ମହାବିଦ୍ୟାଳୟ ସ୍ତରରୁ ମାତୃଭାଷା ଉଠାଇଦେବାର ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରି ଶିକ୍ଷା ସମ୍ବନ୍ଧୀୟ ମୌଳିକ ଅଧିକାରରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ କରିବା ପରିପ୍ରେକ୍ଷୀରେ ଯେଉଁ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା, ତାହା ହୁଏତ ଆମ ଜାତିର ସ୍ୱାଭିମାନକୁ କିଛିକ୍ଷଣପାଇଁ ଜାଗରିତ କରିବାରେ ସାହାଯ୍ୟ କରିଛି । ମାତ୍ର ଦୀର୍ଘଦିନ ଧରି ଓଡ଼ିଆ ଭାଷା ଓ ସାହିତ୍ୟ ପଢ଼ୁଥିବା ଛାତ୍ରଟିଏ କିଭଳି ଭାବରେ ମାନସିକ ଯନ୍ତ୍ରଣା ପାଉଛି, ସେ ସଂପର୍କରେ କେହି କିଛି ଚିନ୍ତା କରିଛନ୍ତି କି?

ତେବେ ଏହି ପରିସ୍ଥିତି ସୃଷ୍ଟିପାଇଁ ଅସଂଖ୍ୟ କାରଣ ଆଢ଼ୁଆଳରେ ଲୁଚି ରହିଥିବା ବେଳେ, ଯେଉଁ କେତୋଟି କାରଣ ସର୍ବସମ୍ମୁଖରେ ଦୃଷ୍ଟିଗୋଚର ହେଉଛି ସେଥିମଧ୍ୟରୁ ପ୍ରମୁଖ କେତୋଟି ଏଠାରେ ଉପସ୍ଥାପିତ କରାଯାଇପାରେ ।

୧ - ପ୍ରାଥମିକ ଶିକ୍ଷାସ୍ତରରେ ମାତୃଭାଷାର ଆଦ୍ୟ ଅକ୍ଷର, ଅ, ଆ ଶିଖିବାପାଇଁ ସରକାରଙ୍କ ସର୍ବଶିକ୍ଷା ଅଭିଯାନରେ ସାମିଲ ହେଉଥିବା କୋମଳମତି ଶିଶୁମାନଙ୍କୁ ଶିକ୍ଷକମାନେ ରୋଷେଇ ନିମିତ୍ତ କାଠ ସଂଗ୍ରହରେ ନିଯୁକ୍ତ କରିଥାନ୍ତି । କେତେକ ବିଦ୍ୟାଳୟ ମାସ ମାସ ଧରି ବନ୍ଦ ରହେ କିମ୍ବା ମାତ୍ର ଖୋଲା ରହେ ଶିକ୍ଷକ ଓ ଶିକ୍ଷା ସମିତିଦ୍ୱାରା ଡାଲି ଚାଉଳ ହଡ଼ପପାଇଁ । ଶିକ୍ଷା ପ୍ରଦାନରେ ଶିକ୍ଷକଙ୍କ ଆନ୍ତରିକତା ନ ଥିବାରୁ ଏହି ଶିଶୁମାନେ ବର୍ଣ୍ଣ ଶିଖି ନିଜ ନାମ ଠିକଣା ଲେଖିବାରେ ଦକ୍ଷତା ୫ବର୍ଷ ମଧ୍ୟରେ ହାସଲ କରିପାରନ୍ତି ନାହିଁ ।

୨ - ମାଧ୍ୟମିକ ଶିକ୍ଷାସ୍ତରରେ ସାହିତ୍ୟ ଏକ ଆମୋଦପ୍ରଦ ବିଷୟ ହୋଇଥିବା ବେଳେ ଏହି ସମୟରୁ ବ୍ୟାକରଣ ପରିଚୟ, ପ୍ରବନ୍ଧ ରଚନା ପଦ୍ଧତି, ବାକ୍ୟ ଗଠନ ଓ