Page:Sarala Bhashatattwa.pdf/107

From Wikisource
Jump to navigation Jump to search
This page has been proofread.

୧୦୨ ସରଳ ଭାଷାତତ୍ତ୍ଵ

ଆଲୋଚନା କରିବା ସମୟରେ ମୂଖ୍ୟତଃ ପ୍ରତ୍ୟେକ ଶବ୍ଦର ମୂଳ ଆର୍ଯ୍ୟ ଭାଷାରେ ବ୍ୟବହୃତ ଶବ୍ଦଠାରୁ ଐତିହାସିକ କ୍ରମବିକାଶ ସୂଚିତ କରିବାକୁ ହୋଇଥାଏ ।
ଏହି ମୂଳ ପ୍ରଚୀନ ଆର୍ଯ୍ୟ ଭାଷା କିପରି ଥିଲା, ସେ ବିଷୟରେ ସୁସ୍ପଷ୍ଟ ଧାରଣା କରିବା ଅସମ୍ଭବ, ତେବେ ସମ୍ପୃକ୍ତ ଓ ଏକ ଗୋଷ୍ଠିଭୁକ୍ତ ନାନା ଶବ୍ଦମାନଙ୍କୁ ଆଲୋଚନା କରି ଆମ୍ଭେମାନେ ସେହି ଭାଷାର ଆକୃତି ଓ ପ୍ରକୃତିଗତ ନାନା ସିଦ୍ଧାନ୍ତରେ ଉପନୀତ ହୋଇଥାଉଁ । ଏହି ଭାଷାରେ ସଙ୍କେତିକ ଶବ୍ଦମାନଙ୍କର ବହୁଳ ବ୍ୟବହାର ଥିଲା ଓ କୌଣସି ଶବ୍ଦ ସାଙ୍କେତିକ ଚିହ୍ନ ସହିତ ଯୁକ୍ତ ନ ହୋଇ ବ୍ୟବହୃତ ହେଉ ନ ଥିଲା । ଏପରିକି ବୈଦିକ ଭାଷାରେ ଯେଉଁ ଅବ୍ୟୟ ପ୍ରଭୃତିର ବ୍ୟବହାର ଦେଖାଯାଏ, ତାହା ମୂଳ ଭାଷାରେ ନ ଥିଲା । ମୂଳ ଭାଷାରେ ଆଠ ଗୋଟି କାରକ ପ୍ରଚଳିତ ଥିଲା‌-ଏକବଚନ, ଦ୍ଵିବଚନ ଓ ବହୁବଚନର ପ୍ରୟୋଗ ଥିଲା ଓ କ୍ରିୟା ସହିତ ନାନାରୂପ ସଙ୍କେତ ଯୋଗ କରାଯାଇ କାଳ, ବଚନ ପ୍ରଭୃତିର ନିର୍ଦ୍ଦେଶ ଦିଆ ଯାଉଥିଲା । ଆଦିମ ଭାଷାରେ ବ୍ୟବହୃତ ପ୍ରତ୍ୟେକ ଶବ୍ଦକୁ ବିଶ୍ଳେଷଣ କରି କେତେକ ଧାତୁର ଅସ୍ତିତ୍ତ୍ଵ ମଧ୍ୟ ସ୍ଵୀକାର କରାଯାଉଥିଲା ଓ ପ୍ରତ୍ୟେକ ଧାତୁର ବର୍ଣ୍ଣମାନଙ୍କର ସମାନ୍ୟ ପରିବର୍ତ୍ତନ କରି ଅନ୍ୟାନ୍ୟ ଧାତୁର ପ୍ରଚଳନ କରିବାର ପ୍ରୟାସ ମଧ୍ୟ ହୋଇଥିଲା ଓ ଦ୍ଵିରୁକ୍ତିଦ୍ଵାରା ଅର୍ଥ ପରିବର୍ତ୍ତନ ପ୍ରକ୍ରିୟା ମଧ୍ୟ ଭାଷାରେ ଆରବ୍ଧ ହୋଇଥିଲା ।
ଆର୍ଯ୍ୟଭାଷାଗୋଷ୍ଠିର ଅନ୍ତର୍ଗତ ବିଭିନ୍ନ ଭାଷାରେ ଥିବା ଶବ୍ଦମାନଙ୍କର ଆଲୋଚନା କରି ଆମ୍ଭେମାନେ ଦେଖୁଁ ଯେ, ପ୍ରାଚୀନ ଆର୍ଯ୍ୟମାନେ ନିଜ ଅଙ୍ଗର କପାଳ (ମସ୍ତକର ସମଗ୍ର ଅଂଶ), ନଖ (ସଂସ୍କୃତ ନଖ, ଇଂରାଜୀ nail, ପ୍ରଚୀନ ଇଂରାଜୀ naegel, ଜର୍ମାନ nagel, ମୂଳ ଆର୍ଯ୍ୟ ନଘ), ଦାନ୍ତ, ଆଖି(ସଂସ୍କୃତ ଅକ୍ଷି, ଜର୍ମାନ auge,ରୁସୀୟ oko,ଲାଟିନ oc(ulus), ମୂଳ ଆର୍ଯ୍ୟ ଶବ୍ଦ ଅକ୍); ହାତ, ପଦ, ଅସ୍ଥି, ଅନ୍ତ୍ର, ରୁଧିର ପ୍ରଭୃତି ଶବ୍ଦମାନଙ୍କ ସହିତ ପରିଚିତ ଥିଲେ, ଗୃହପାଳିତ ପଶୁ ମଧ୍ୟରେ ଘୋଡ଼ା(ଅଶ୍ଵ),ଗାଈ, ମେଣ୍ଢା (ସଂସ୍କୃତ ଅବି, ଇଂରାଜୀ ewe)ପ୍ରଭୃତି, ଆତ୍ମୀୟମାନଙ୍କ ମଧ୍ୟରେ ମାତା, ପିତା, ଝିଅ, ଭାଇ, ପୁଅ, ଶାଶୁ ପ୍ରଭୃତି ଓ ରଙ୍ଗମାନଙ୍କ ମଧ୍ୟରେ ଧଳା, ନାଲି, ହଳଦିଆ ପ୍ରଭୃତି ବର୍ଣ୍ଣ ସେମାନଙ୍କ ପରିଚିତ ଥିଲା । ଭାଷାତତ୍ତ୍ଵର ଆଲୋଚନା ଦ୍ଵାରା ଏହି ପ୍ରାକ୍ଐତିହାସିକ ଯୁଗର ଆର୍ଯ୍ୟମାନଙ୍କର ରୀତିନୀତି, ଜୀବନଧାରଣ ପ୍ରଣାଳୀ ପ୍ରଭୃତି ବିଷୟରେ ସୁସ୍ପଷ୍ଟ ଧାରଣା ଜାତ ହୋଇଥାଏ, କାରଣ ବିଭିନ୍ନ ଆର୍ଯ୍ୟ ଭାଷାର