Page:Sarala Bhashatattwa.pdf/87

From Wikisource
Jump to navigation Jump to search
This page has been proofread.

ଯାଇଛି' ପଦମାନ କୌଣସି ଦ୍ରବ୍ୟକ୍ରୟ କରିବାକୁ (ବା ବିକ୍ରୟ କରିବାକୁ) ଯାଇଛି ବୋଲି ସୂଚାଇଥାଏ । ପୂର୍ବକାଳରେ ବଡ଼ ବଡ଼ ରାସ୍ତାମାନଙ୍କର ଚତୁଷ୍କୋଣାକୃତି ସଂଯୋଗ ସ୍ଥଳରେ ପୁଲିସ ଥାନା ପ୍ରଭୃତି ସ୍ଥାପିତ ହୋଇଥିବାରୁ ବର୍ତ୍ତମାନ 'ଚଉକି'ର ଏକ ଅର୍ଥ ଥାନା ଓ ଅନ୍ୟ ଅର୍ଥ ଥାନାରେ ଥିବା ପୁଲିସଙ୍କ ଜଗୁଆଳି କାମ । ଯଥା:- ସେ ଚଉକି ଦେବାକୁ ଯାଇଛି । 'ଚତ୍ୱର' ନିକଟରେ ସାଧାରଣତଃ ତୁଳସୀମଞ୍ଚ ଥିବାରୁ ତୁଳସୀମଞ୍ଚକୁ 'ଚଉରା' ବୋଲାଯାଇଥାଏ । ଅର୍ଥାତ୍ ଚତ୍ୱର ଓ ମଞ୍ଚର ସ୍ଥାନ ଗତ ନୈକଟ୍ୟ ହେତୁରୁ ଅର୍ଥ ମଧ୍ୟ ଆଳଙ୍କାରିକ ରୀତିରେ ପରିବର୍ତ୍ତିତ ହୋଇଅଛି । କଟକରେ 'ଗଙ୍ଗାମନ୍ଦିର' କହିଲେ ବର୍ତ୍ତମାନ ଗୋଟିଏ ବୃହତ୍ ପୋଖରୀକୁ ସୂଚାଉଅଛି । ତାହାର କାରଣ, ସେହି ପୋଖରୀ ସନ୍ନିକଟରେ ଗଙ୍ଗାଙ୍କ ନାମରେ ଗୋଟିଏ ବୃହତ୍ ମନ୍ଦିର ଥିଲା, କାଳକ୍ରମେ ମନ୍ଦିରଟି ନଷ୍ଟ ହୋଇଯିବାରୁ ତତ୍‌ସନ୍ନିକଟସ୍ଥ ପୁଷ୍କରିଣୀକୁ ବର୍ତ୍ତମାନ ସ୍ଥାନଗତ ସାନ୍ନିଧ୍ୟ ହେତୁରୁ 'ଗଙ୍ଗାମନ୍ଦିର' ଆଖ୍ୟା ଦିଆଯାଇଅଛି । 'ଗଙ୍ଗାମନ୍ଦିର' ଶବ୍ଦ ଦ୍ୱାରା କଟକର ସମସ୍ତେ ଏହି ପୋଖରୀଟିକୁ ଚିହ୍ନିତ କରିଥାନ୍ତି । ଏହା ମଧ୍ୟ ସାନ୍ନିଧ୍ୟ ହେତୁରୁ ଅର୍ଥର ଆଳଙ୍କାରିକ (metonymy) ପରିବର୍ତ୍ତନର ଉଦାହରଣ ।

ପୁଣି ଅଂଶବିଶେଷର ଉଲ୍ଲେଖଦ୍ୱାରା ସମଗ୍ର ଅର୍ଥ ବା ସମଗ୍ରସୂଚକ ପଦର ବ୍ୟବହାରଦ୍ୱାରା କେବଳ ଅଂଶବିଶେଷକୁ ମଧ୍ୟ ଲକ୍ଷିତ କରାଯାଇ ପାରେ । ଏହି ଅର୍ଥଗତ ପରିବର୍ତ୍ତନ ମଧ୍ୟ ଆଳଙ୍କାରିକ (Synecdoche) ପରିବର୍ତ୍ତନ ବୋଲି ପରିଗଣିତ ହୋଇଥାଏ । 'ଚଉକି' କହିଲେ ଚାରୋଟି ଗୋଡ଼ବିଶିଷ୍ଟ କାଷ୍ଠାସନ ଅର୍ଥ ସୂଚିତ ହୁଏ । ମାତ୍ର ସେହି ଶବ୍ଦ ଦ୍ୱାରା କେବଳ ଆସନର ଗୋଡ଼କୁ ଲକ୍ଷ୍ୟ କରାଯା ଉଥିଲେହେଁ ଏହାର ଅର୍ଥ ସମଗ୍ର ଆସନ । ଏହିପରି 'ଜଳଖିଆ' ଶବ୍ଦଦ୍ୱାରା ପାନ ଭୋଜନର ସମସ୍ତ ଆନୁଷଙ୍ଗିକ ପଦାର୍ଥକୁ ସୂଚିତ କରାଯାଏ, ମାତ୍ର କେବଳ ସେ ସମସ୍ତର ଏକ ଅଙ୍ଗ 'ଜଳ'କୁ ଅବଲମ୍ବନ କରି ଶବ୍ଦଟି ଗଠିତ । 'ପାନ ଖର୍ଚ୍ଚ' 'ଖଜାଖିଆ' 'ଦନ୍ତା' ମଧ୍ୟ ଏହିପରି ଅଂଶବିଶେଷକୁ ଲକ୍ଷ୍ୟ କରି ଗଠିତ ଓ ପୁରୁଷ ମାଙ୍କଡ଼ର ହାତୀ ପରି ଦାନ୍ତ ନ ଥିଲେ ମଧ୍ୟ ସେ 'ଦନ୍ତା' ବୋଲି ପରିଚିତ । ଏହିପରି 'ପାଳ'ର ଅର୍ଥ 'ସମଗ୍ର ନଡ଼ାଗଦା' । ମାତ୍ର କ୍ରମଶଃ ଏହା ନଡ଼ାର ଏକ ବିଶେଷ ଅଂଶ ସୂଚିତ କରିବା ନିମନ୍ତେ ବ୍ୟବହୃତ ହୋଇ ଆସିଅଛି । ଏହିପରି 'ପଳଖା' ଶବ୍ଦ 'ପଲାଳ'ରୁ ଉତ୍ପନ୍ନ ଓ ଏହାର ମୂଳ ଅର୍ଥ 'ସବୁ ପ୍ରକାର ଶୀଘ୍ର ବିନାଶଶୀଳ କୋମଳ ଅଂଶ' । ମାତ୍ର ଏହା ବର୍ତ୍ତମାନ କେବଳ ବଡ଼ ବଡ଼ କାଠର ବାହାରର ଆବରକ ଅଂଶବିଶେଷ ପ୍ରତି ପ୍ରଯୁକ୍ତ । ଏହାର ଅନ୍ୟ ସବୁ ଅର୍ଥ ଲୁପ୍ତ ହୋଇ ଯାଇଅଛି ।