Page:Kaunri Kamachandira dese.pdf/35

From Wikisource
Jump to navigation Jump to search
This page has been proofread.

ଗୌହାଟୀରୁ ୧୦ କିଲୋମିଟର ଦୂରରେ ବଶିଷ୍ଠାଶ୍ରମ ନାମକ ଏକ ଦର୍ଶନୀୟ ସ୍ଥାନ ରହିଛି । କାମାକ୍ଷା ପାହାଡ଼ର ବହୁ ପାହାଡ଼ି ଝରଣା ଝରି ଆସିଛି । ଜଳପ୍ରପାତ, ଶ୍ୟାମଳ ଗଛଲତା ଇତ୍ୟାଦି ସେଠାରେ ଭରି ରହିଛି । ବଶିଷ୍ଠ ଏଠାକୁ ଗଙ୍ଗାକୁ ବୁହାଇ ଆଣିଥିଲେ । କଣ୍ଵଋଷିଙ୍କ ଆଶ୍ରମ ମଧ୍ୟ ସେଠାରେ ଥିଲା । ଅଶ୍ଵକ୍ଲାନ୍ତାର ପୌରାଣିକ ଗୁରୁତ୍ଵ କହି ଶର୍ମା ଜଣାଇଲେ ଯେ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ସାଥୀରେ ନେଇ ଚାଲିଗଲାବେଳେ ଉକ୍ତ ସ୍ଥାନରେ ତାଙ୍କର ଅଶ୍ଵଟି କ୍ଳାନ୍ତ ହୋଇପଡ଼ିଥିଲା । ସେମାନେ ସେଠାରେ କିଛି ସମୟ ବିଶ୍ରାମ ନେଇଥିଲେ । ଏହି ପବିତ୍ର ସ୍ମୃତିକୁ ଧରି ସେଇ ସ୍ଥାନଟି ପବିତ୍ର ହୋଇଛି ।

ଆମେ ହାଇକୋର୍ଟ ପାଖକୁ ଯାଇ ସେଠାରୁ ପୁଣି ଉମାନନ୍ଦର ଦୃଶ୍ୟ ଦର୍ଶନ କଲୁ । ପ୍ରବଳ ଜଳସ୍ରୋତ । ବହୁ ବଡ଼ ନାବ ଓ ଷ୍ଟିମର ବ୍ରହ୍ମପୁତ୍ର କୂଳରେ ଥାଏ ଏବଂ ଅନେକ ଭାସି ଚାଲିଥାଏ । ସେଠାରୁ ଆମେ ଗୌହାଟୀ ବଜାର ଭିତରକୁ ଯାଇଥିଲୁ । କେତେକ ଦୋକାନ ବଜାର ଦେଖିଲୁ । ମୁଁ ଆସାମୀ ଚା' ଓ ବାଉଁଶ ତିଆରି ହସ୍ତଶିଳ୍ପ କେତୋଟି କିଣିଲି । କିଛି ଜଳଖିଆ ଖାଇବା ପରେ ଟ୍ରେନିଂ ନେଉଥିବା ଅଧ୍ୟାପକମାନେ ମୋତେ ପାନସୁପାରି ଦେଲେ । ଖାଇଲା ପରେ ପାନସୁପାରି ଅତିଥିଙ୍କୁ ଦେବା ଏଠାରେ ଏକ ପ୍ରଥା । ଆଗରୁ ଆମର ବି ଏହି କଥା ଥିଲା । ମୁଁ ତାକୁ ଖାଇ ଗୁଆର କଞ୍ଚାରସ ଢ଼ୋକି ଦେଲି । ତା'ଫଳରେ ଏହା ମୋ ଛାତିରେ ଲାଗି ନିଶ୍ଵାସ ନେବାରେ କି କଷ୍ଟ ! ଶ୍ଵାସରୁଦ୍ଧ ହେବା ପରି ଲାଗିଲା । ଗୋଟିଏ ଦୋକାନକୁ ଯାଇ ପାଣି ଗ୍ଲାସେ ପିଇଦେବାରୁ ଟିକିଏ ଭଲ ଲାଗିଲା । କଞ୍ଚା ଗୁଆର ରସ ଭାରି କଷାଳିଆ । ପାଣି ପିଇ ଟିକିଏ ଆଶ୍ଵସ୍ତ ହେଲି ।

କାମାକ୍ଷା ପୀଠର ମହିମା

ଆସାମ ବିଶେଷତଃ କାମାକ୍ଷା ପୀଠର ମହିମା ସଂପର୍କରେ ଆମର ବହୁତ ଆଲୋଚନା ହୋଇଥିଲା । ସେ ସମ୍ପର୍କରେ ଏଠାରେ କିଛି ଲେଖିବାର ଲୋଭ ସମ୍ବରଣ କରିପାରୁ ନାହିଁ । ହିନ୍ଦୁ ଧର୍ମରେ ତିନି ପ୍ରଧାନ ଦେବତା ହେଲେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵର । ବ୍ରହ୍ମା ହେଲେ ସୃଷ୍ଟିର ଦେବତା, ବିଷ୍ଣୁ ହେଲେ ପାଳନକର୍ତ୍ତା ଓ ମହେଶ୍ଵର ହେଲେ ଧ୍ଵଂସ


                              ୩୫