Jump to content

Page:Jati, Jagruti o Pragati.pdf/43

From Wikisource
This page has been proofread.

୪୪ / ଜାତି, ଜାଗୃତି ଓ ପ୍ରଗତି
ଏମାନେ ଏ ପର୍ଯ୍ୟନ୍ତ ସେହି ଇଂରେଜୀ ଅମଳର ନୀତି ଜାବୁଡ଼ି ଧରି କୁହନ୍ତି ଯେ, ପ୍ରଶାସକର ଭାଷା ହେଉଛି ଇଂରେଜୀ । ତେଣୁ I.A.S. ହୁଅ ବା O.A.S., ଇଂରେଜୀ ଭାଷାର ଦକ୍ଷତା ଅତ୍ୟନ୍ତ ଜରୁରୀ । କିନ୍ତୁ ସର୍ବଭାରତୀୟ ସ୍ତରରେ ଏହି ଦକ୍ଷତାର ପ୍ରମାଣ ଓଡ଼ିଆ ଛାତ୍ରମାନେ ଦେଖାଉଥିବାବେଳେ, ତେଣେ ଆଞ୍ଚଳିକ ଭାଷାରେ ଦକ୍ଷ ହୋଇ ଅନ୍ୟମାନେ ଯେ ପ୍ରମୁଖ ପଦପଦବୀରେ ମଣ୍ଡନ କରି ବସିଥିବେ; ତାହା ଏହି ଶୁଭଚିନ୍ତକଙ୍କ ମଗଜରେ ପଶିନାହିଁ କି ପଶୁନାହିଁ । ନିକଟରେ କେତେଜଣ ଇତିହାସ ପ୍ରଫେସରଙ୍କୁ ପଚାରିଲି - “ସାର୍ I.A.S ମୁଖ୍ୟ ପରୀକ୍ଷାର ଉତ୍ତର ଓଡ଼ିଆ ଭାଷାରେ ଲେଖିଲେ କିଭଳି ନମ୍ବର ମିଳବ ?” ସେ ସଙ୍ଗେ ସଙ୍ଗେ ଉତ୍ତର ଦେଲେ - କିଛି ମିଳିବ ନାହିଁ । ମୁଁ କହିଲି - କାହିଁକି ? ସେ ଉତ୍ତର ଦେଲେ “ସେ ପରୀକ୍ଷା ତ ଇଂରେଜୀ ବ୍ୟତୀତ ଅନ୍ୟ ଭାଷାରେ ଦେଇହେବ ନାହିଁ । ଯଦି ବା ଭୁଲରେ ସେ ଖାତା ଦେଖାଯାଏ, ତେବେ ଇତିହାସର କଥା କ’ଣ ଓଡ଼ିଆ ଭାଷାରେ ଠିକ୍ ଭାବରେ ଉପସ୍ଥାପିତ କରିହେବ!”

ସ୍ତବ୍ଧ ପାଲଟିଗଲି ଓଡ଼ଶାର ସର୍ବ ପ୍ରଥମ ତଥା ସୁନାମଧନ୍ୟ ବିଶ୍ୱବିଦ୍ୟାଳୟର ଇତିହାସ ପ୍ରଫେସରଙ୍କ ଏହିଭଳି ଅକାଟ୍ୟ ନିର୍ବୋଧ ଯୁକ୍ତି ଶୁଣି, ମୋର ବାକ୍‌ସ୍ଫୁର୍ତ୍ତି ଘଟି ନ ଥିଲା, ଏମାନଙ୍କ ଜ୍ଞାନର କୂପମଣ୍ଡୁକ ନୀତି ଦେଖି । କାରଣ ଏମାନେ ଏପର୍ଯ୍ୟନ୍ତ ଜାଣି ନାହାନ୍ତି ଯେ, ଏହି ପରୀକ୍ଷାପାଇଁ କେନ୍ଦ୍ର ଲୋକସେବା ଆୟୋଗ ସମ୍ବିଧାନ ନିର୍ଦ୍ଦେଶିତ ଅଷ୍ଟମ ଅନୁସୂଚୀ ଅନ୍ତର୍ଭୁକ୍ତ ୨୨ଟି ଭାଷାର ଛାତ୍ରଛାତ୍ରୀଙ୍କୁ ନିଜ ଭାଷାରେ ଲିଖିତ ଓ ମୌଖିକ ପରୀକ୍ଷା ଦେବାର ସୁଯୋଗ ଦେଇଛି ବୋଲି । ଫଳସ୍ୱରୂପ ଅନେକ ରାଜ୍ୟର ପ୍ରାର୍ଥୀମାନେ ଏବର୍ଷ ଭଳି ପ୍ରତିବର୍ଷ ସଫଳତା ହାସଲ କରୁଛନ୍ତି । ଏହା ବ୍ୟତୀତ ନିଜ ଜାତିର ଇତିହାସ, କଳା ସ୍ଥାପତ୍ୟ, ସମାଜ ଜୀବନକୁ ଅନ୍ୟ ଭାଷାରେ ଯେ ପ୍ରାଞ୍ଜଳ ଭାବରେ ଉପସ୍ଥାପିତ କରିହେବ, ତାହା ପ୍ରଥମ କରି ଆମର ଏହି ବିଜ୍ଞ ପ୍ରଫେସରଙ୍କଠାରୁ ଶୁଣଲି । କାରଣ ନିଜ କଥା ନିଜ ଭାଷାରେ ଯେ ସ୍ପଷ୍ଟ ପ୍ରତିଫଳିତ ହୁଏ, ତାହା ବୋଧହୁଏ ତାଙ୍କୁ ଜଣା ନ ଥିଲା । ବୋଧହୁଏ ପ୍ରେମ କଲାବେଳେ ସେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଇଂରେଜୀ ଭାଷା କହିଥାନ୍ତି । ନଚେତ୍ ତାଙ୍କ ଶିକ୍ଷାଦାନ ଭଳି ଦାମ୍ପତ୍ୟ ଜୀବନ ମଧ୍ୟ ଏଭଳି ସରସ ରହି ନ ଥାନ୍ତା । ପରେ ଜାଣିଲି, ଏହିଭଳି ଅନେକ ବିଦ୍ୱାନ ଓଡ଼ଶାର ବିଶ୍ୱବିଦ୍ୟାଳୟମାନଙ୍କରେ ବିଦ୍ୟାଦାନରେ ନିୟୋଜିତ ଅଛନ୍ତି, ଯେଉଁମାନଙ୍କର ଜ୍ଞାନ ସାଧାରଣ ପ୍ରାଥମିକ ଶିକ୍ଷକଙ୍କଠାରୁ ମଧ୍ୟ ହୀନ । ବୋଧହୁଏ ସେଇଥିପାଇଁ ନୀଳବର୍ଣ୍ଣ ଶୃଗାଳ ପରି ନିଜ ଜାତିଭାଇଙ୍କଠାରୁ ସେମାନଙ୍କ ପଦପଦବୀ, ପ୍ରତଷ୍ଠାର ସୁରକ୍ଷାପାଇଁ ଇଂରେଜୀ ଭାଷାକୁ ଢାଲ ରୂପେ ଧରି ରଖିବାକୁ ବାଧ୍ୟ ହେଉଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆମ ନେତାଠାରୁ ଜନତା ପର୍ଯ୍ୟନ୍ତ ସମସ୍ତେ ଚିତ୍କାର କରନ୍ତି - କାଳେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ, ଯିଏ ଭାଷାଭିତ୍ତିରେ ଗଠିତ ।