Jump to content

Page:Jati, Jagruti o Pragati.pdf/40

From Wikisource
This page has been proofread.

ଜାତି, ଜାଗୃତି ଓ ପ୍ରଗତି / ୪୧

ରାଜନୀତି ବିଜ୍ଞାନ, ଭୂଗୋଳ, ଜୀବବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ସମାଜ ବିଜ୍ଞାନ, ମନସ୍ତତ୍ତ୍ୱ ଇତ୍ୟାଦିର ବିଷୟଗୁଡ଼ିକୁ ଇଂରାଜୀ ବଦଳରେ ବଙ୍ଗଳାବହି ପଢ଼ିବାରେ ବ୍ୟସ୍ତ ଅଛନ୍ତି । ଆଶ୍ଚର୍ଯ୍ୟ ଲାଗିଲା । ଆଉ ନିଜର କୌତୁହଳ ଚାପି ନ ରଖି ପଚାରିଲି-“କାହିଁକି ହଠାତ୍ ଏ ବଙ୍ଗପ୍ରୀତି?” ଉତ୍ତର ଯାହା ମିଳିଲା ଶୁଣି ମୁଁ କେବଳ ଚକିତ ହୋଇ ନ ଥିଲି, ବରଂ ଯଦି ଆପଣଙ୍କ ଦେହରେ ଓଡ଼ିଆ ରକ୍ତ ପ୍ରବାହିତ ହେଉଥିବ, ତେବେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଓଡ଼ିଆ ଜାତିର ଅଧୋଗତିକୁ ଅନୁଭବ କରିପାରିବେ ।

ଉଚ୍ଚଶିକ୍ଷାକୁ ଇଂରାଜୀ ଭାଷାର ମାନ‌ଦଣ୍ଡରେ ପରଖୁଥିବା ଆମର ଏହି ଉଚ୍ଚଶିକ୍ଷିତ ଗବେଷକ ଦଳ ବଙ୍ଗଳା ଭାଷା ଶିକ୍ଷା କରିବାର ମୂଳ ଉଦ୍ଦେଶ୍ୟ ହେଲା - ନିକଟରେ ପଶ୍ଚିମବଙ୍ଗ ସରକାର ବିଭିନ୍ନ ବିଭାଗର ୧୮୦୦ ଅଧ୍ୟାପକ ପଦବୀପାଇଁ ବିଜ୍ଞପ୍ତି ବାହାର କରିଛନ୍ତି । ଏଥିପାଇଁ ସର୍ବନିମ୍ନ ଯୋଗ୍ୟତା ଏମ୍.ଏ ସହିତ N.E.T କିମ୍ବା S.L.E.T. ପରୀକ୍ଷା ଉତ୍ତୀର୍ଣ୍ଣ ହେବା ଆବଶ୍ୟକ । ଆମର ଏହି ଗବେଷକ ଦଳ ନିଜ ଯୋଗ୍ୟତା ବଳରେ ଏହି UGC-NET-JRF ଭଳି ସର୍ବ ଭାରତୀୟସ୍ତରୀୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ଗବେଷକ ବୃତ୍ତି ପାଇ ଗବେଷଣା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ଆମ ରାଜ୍ୟର ଅଧ୍ୟାପକ ନିଯକ୍ତି ଗତ ୧୦ ବର୍ଷ ଧରି ହୋଇ ନ ଥିବାରୁ ବଙ୍ଗଳାର ଏହି ବିଜ୍ଞାପନକୁ ଏକ ସୁଯୋଗ ଭାବରେ ଗ୍ରହଣ କରିଛନ୍ତି । ମାତ୍ର ସେଠାରେ ମହାବିଦ୍ୟାଳୟ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ, ପ୍ରତ୍ୟେକ ଶ୍ରେଣୀରେ ବଙ୍ଗଳା ଭାଷା ମାଧ୍ୟମରେ ଶିକ୍ଷା ପ୍ରଦାନ ବ୍ୟବସ୍ଥା ରହିଛି । ତେଣୁ ଅଧ୍ୟାପକ ନିଯୁକ୍ତିର ସାକ୍ଷାତକାର ସମୟରେ ବଙ୍ଗଳା-ଭାଷା ଦକ୍ଷତାର ପ୍ରମାଣ ବାଧ୍ୟତାମୂଳକ । ଏହି ପରୀକ୍ଷାରେ ସଫଳ ହେବାପାଇଁ ଓଡ଼ିଶାର ଏହି ମେଧାବୀ ଗଳଦ୍‌ଘର୍ମ ହୋଇ ବଙ୍ଗଳା ଭାଷା ଶିକ୍ଷା କରିବାରେ ବ୍ୟସ୍ତ । ଅନୁସନ୍ଧାନରୁ ଜାଣିଲି, କେବଳ ଏହି ଛାତ୍ରାବାସ ନୁହେଁ, ଓଡ଼ିଆ ଭାଷାର ସୁରକ୍ଷାପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା କୃତି ସନ୍ତାନମାନଙ୍କ ନାମରେ ନାମିତ ସମସ୍ତ ଛାତ୍ରାବାସରେ ଅଧ୍ୟାପନାକୁ ବୃତ୍ତି ଭାବେ ଗ୍ରହଣ କରିବାରେ ଆଗ୍ରହୀଥିବା ଏହିଭଳି ଅନେକ ଛାତ୍ର ବଙ୍ଗଭାଷା ଶିକ୍ଷା କରିବାରେ ବ୍ୟସ୍ତ ରହିଛନ୍ତି ।

ବହୁତ ଅଶ୍ୱସ୍ତିକର ଲାଗିଲା ସେମାନଙ୍କ ଅସହାୟତା ଦେଖି । ଯେଉଁ ବନ୍ଧୁଗଣ ମୋତେ ଓଡ଼ିଆ ଭାଷା ସାହିତ୍ୟର ଛାତ୍ର ବୋଲି ପରିହାସ କରୁଥିଲେ, ମୋର ଯୋଗ୍ୟତା, ପାରିଲାପଣିଆ ସୀମାରେଖା ଅଙ୍କନ କରୁଥିଲେ, ବିଶେଷକରି ଭଲ ଇଂରାଜୀ କହିପାରୁଥିବାରୁ ନିଜକୁ ଗର୍ବିତ ମନେ କରୁଥିଲେ; ସେହିମାନଙ୍କର ନିଜ ଭାଷା ପ୍ରତି ବିମୁଖତା ଏବଂ ପଡୋଶୀ ଭାଷା ପ୍ରତି ଅସରନ୍ତି ଆବେଗ ଦେଖି ମୁଁ ମଧ୍ୟ ଏକପ୍ରକାର ପ୍ରତିଶୋଧପରାୟଣ ହୋଇ ପରିହାସ କରିବାକୁ ଭୁଲି ନ ଥିଲି । ଅବଶ୍ୟ ଏଥିସହିତ