Jump to content

Page:Jati, Jagruti o Pragati.pdf/33

From Wikisource
This page has been proofread.

୩୪ / ଜାତି, ଜାଗୃତି ଓ ପ୍ରଗତି
ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ମାତୃଭାଷା ଶିକ୍ଷାଦାନ ପଦ୍ଧତି ଉପରେ ଗୁରୁତ୍ତ୍ଵ ଦେବା ଆବଶ୍ୟକ । ବିଶେଷ କରି ମାଧ୍ୟମିକ ଶିକ୍ଷାସ୍ତରରେ ମାତୃଭାଷା ପଢ଼ାଇବାପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷିତ ଶିକ୍ଷକଙ୍କୁ ଦାୟିତ୍ୱ ଦେବା ଆବଶ୍ୟକ । ଏମାନଙ୍କ ଅଭାବରେ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦିଆଯାଇପାରେ ।

ସେହିଭଳି ଉଚ୍ଚଶିକ୍ଷାସ୍ତରରେ ୟୁ.ଜି.ସି ନିୟମାନୁଯାୟୀ ନେଟ୍ ଉପାଧିପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ସିଧାସଳଖ କିମ୍ବା ଚୁକ୍ତିଭିତ୍ତିକ ପାରିତୋଷିକଦ୍ଵାରା ନିଯୁକ୍ତି ପ୍ରଦାନ କରି ଏହାର ଅଭାବକୁ ଶୀଘ୍ର ପୂରଣ କରିବା ଆବଶ୍ୟକ । ମାତୃଭାଷା ସମ୍ମାନ ଛାତ୍ରଛାତ୍ରୀଙ୍କପାଇଁ ସ୍ୱତନ୍ତ୍ର ଭାବରେ ବି.ଏଡ୍, ସାମ୍ବାଦିକତା ପାଠ୍ୟକ୍ରମ କିମ୍ବା ଅନ୍ୟାନ୍ୟ ବୃତ୍ତି ଭିତ୍ତିକ ପାଠ୍ୟକ୍ରମ ପ୍ରଚଳନ କରିବା, ରାଜ୍ୟ ସରକାରଙ୍କଦ୍ଵାରା ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଓଡ଼ିଆ ଭାଷାକୁ ମାଧ୍ୟମ ରୂପେ ଗ୍ରହଣ କରିବା ମଧ୍ୟ ଆବଶ୍ୟକ ।

ବିଶେଷ କରି ମାତୃଭାଷା ଶିକ୍ଷାଦାନ କରୁଥିବା ଶିକ୍ଷକ, ଅଧ୍ୟାପକଗଣ ଏହି ବୃତ୍ତି ପ୍ରତି ଅଧିକ ସଚେତନ ହୋଇ ମନଯୋଗ ସହିତ ବିଦ୍ୟାଦାନ କଲେ ତଥା ବିଭିନ୍ନ ପରୀକ୍ଷା, ଏପରିକି ୟୁ.ଜି.ସି. ଗବେଷଣା ବୃତ୍ତି ପରୀକ୍ଷାରେ ବାସ୍ତବତାକୁ ଗ୍ରହଣ କରି ନମ୍ବର ପ୍ରଦାନ କରିବାରେ ସାମାନ୍ୟ ନରମ ମନୋଭାବ ପୋଷଣ କଲେ, ମାତୃଭାଷା ପ୍ରତି ପ୍ରତ୍ୟେକ ଓଡ଼ିଆଙ୍କ ଆଗ୍ରହ ବୃଦ୍ଧି ଘଟିବ, ନଚେତ୍ ଭବିଷ୍ୟତରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଆମମାନଙ୍କ ଭାବପ୍ରବଣତାକୁ ଆଘାତ ଦେଇ କହିବାକୁ ପଛେଇବେ ନାହିଁ - “ମୁଁ କାହିଁକି ଓଡ଼ିଆ ପଢ଼ିବି”?