Jump to content

Page:Jati, Jagruti o Pragati.pdf/31

From Wikisource
This page has been proofread.

୩୨ / ଜାତି, ଜାଗୃତି ଓ ପ୍ରଗତି
ବିଭିନ୍ନ ମେଟ୍ରିକ ଓ ସ୍ନାତକସ୍ତରୀୟ କର୍ମଚାରୀ ନିଯୁକ୍ତିପାଇଁ ମାତୃଭାଷାକୁ ଇଚ୍ଛାଧୀନ ବିଷୟ ସହିତ ସମସ୍ତ ୯ଟି ପତ୍ରକୁ ମାତୃଭାଷାରେ ଲେଖିବାର ସୁଯୋଗ ଦେଇଥିଲେ ମଧ୍ୟ ଏ ସଂପର୍କରେ ବ୍ୟାପକ ସଚେତନତାର ଅଭାବ, ଯଥେଷ୍ଟ ପାଠ୍ୟୋପକରଣ ଓ ପୁସ୍ତକର ଅଭାବ ତଥା ଉପଯୁକ୍ତ ଦିଗ୍‌ଦର୍ଶକଙ୍କ ଅଭାବ ଯୋଗୁଁ ଓଡ଼ିଆ ଛାତ୍ରଟିଏ ବାଧ୍ୟ ହୋଇ ଓଡ଼ିଆ ବଦଳରେ ଇଂରେଜୀ ମାଧ୍ୟମରେ ପରୀକ୍ଷା ଦେଉଛି ।

୮- ଭାରତର ଅନ୍ୟାନ୍ୟ ରାଜ୍ୟ ଲୋକସେବା ଆୟୋଗଦ୍ଵାରା ପରିଚାଳିତ ବିଭିନ୍ନ ପରୀକ୍ଷା ବିଶେଷ କରି ପ୍ରଶାସନିକ ସେବା ପରୀକ୍ଷାର ଉତ୍ତର ନିଜସ୍ୱ ଭାଷାରେ ଲେଖିବାର ବିଧି ପ୍ରଚଳନ କରିଥିବାବେଳେ, ଆମ ଓଡ଼ିଶା ରାଜ୍ୟର ଲୋକସେବା ଆୟୋଗ ମାତୃଭାଷା ବଦଳରେ କେବଳ ଇଂରେଜୀ ଭାଷାରେ ଉତ୍ତର ଲେଖିବାର ବିଧି ପ୍ରଣୟନ କରିଛନ୍ତି । ଯଦି ରାଜ୍ୟ ଲୋକସେବା ଆୟୋଗ ମାତୃଭାଷାରେ ଉତ୍ତର ଲେଖିବାର ବିଧି ପ୍ରଣୟନ କରନ୍ତେ, ତେବେ ପ୍ରତିବର୍ଷ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେଉଥିବା ଓଡ଼ିଶାର ପ୍ରାୟ ୩୦ ହଜାର ପ୍ରାର୍ଥୀ ମଧ୍ୟରୁ ଅର୍ଦ୍ଧାଧିକ ମାତୃଭାଷାରେ ପରୀକ୍ଷା ଦେବାର ଦୁଃସାହସ କରି ନିଶ୍ଚିତ କୃତକାର୍ଯ୍ୟ ହୁଅନ୍ତେ, ଯାହା ଫଳରେ ଓଡ଼ିଶାପାଇଁ ସୁରକ୍ଷିତ ସ୍ଥାନରେ ଅନ୍ୟ ରାଜ୍ୟର ପ୍ରାର୍ଥୀ ପ୍ରବେଶ କରିପାରନ୍ତା ନାହିଁ । ଏଥିସହିତ ମାତୃଭାଷା ପ୍ରତି ଆଦର ସମ୍ମାନ ବଢ଼ିବା ସହିତ ସାଧାରଣ ଜନତା ଓ ପ୍ରଶାସନ ମଧ୍ୟରେ ଥିବା ବିଭେଦ ଦୂର ହୋଇଯାଆନ୍ତା ।

୯-ଅନ୍ୟାନ୍ୟ ରାଜ୍ୟରେ ପ୍ରଚଳିତ ଭାଷା ଓ ସାହିତ୍ୟର ଉଚ୍ଚତର ଗବେଷଣାପାଇଁ ବିଭିନ୍ନ ଅନୁଷ୍ଠାନ ତଥା ସରକାର ସ୍ୱତନ୍ତ୍ର ବୃତ୍ତି ଯୋଗାଇ ଦେଉଥିବା ବେଳେ ଆମ ରାଜ୍ୟ ସରକାର, ଶିଳ୍ପପତି , ବୁଦ୍ଧିଜୀବୀ, ସାହିତ୍ୟ ଶୁଭେଚ୍ଛୁ ଧନୀ ବ୍ୟକ୍ତି ଏବଂ ବିଶ୍ୱବିଦ୍ୟାଳୟ ସମୂହ ଏଥିପାଇଁ ସଂପୂର୍ଣ୍ଣ ଉଦାସୀନ ରହନ୍ତି । ଆମ ଲୋକପ୍ରତିନିଧିମାନେ ଏଥିପାଇଁ ଅର୍ଥର ଅଭାବ ଦର୍ଶାଉଥିବା ବେଳେ ପ୍ରତି ଛକରେ ମନ୍ଦିର ନିର୍ମାଣପାଇଁ ମୁକ୍ତହସ୍ତରେ ଅର୍ଥ ଦାନ କରିଥାନ୍ତି ।

ଏପରିକି ଭାଷା, ଜାତି ଓ ସାହିତ୍ୟର କଥା କହୁଥିବା ଓଡ଼ିଶା ସାହିତ୍ୟ ଏକାଡେମୀ, ଉକ୍ରଳ ସାହିତ୍ୟ ସମାଜ, ସାରଳା ସାହିତ୍ୟ ପରିଷଦ, ଓଡ଼ିଆ ଗବେଷଣା ପରିଷଦ, ସାରଳା ସାହିତ୍ୟ ସଂସଦ, ଉକ୍ରଳ ସମ୍ମିଳନୀ, ନୀଳଚକ୍ର, ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରଭୃତି ସାହିତ୍ୟିକ ଅନୁଷ୍ଠାନ ପ୍ରତିବର୍ଷ କେତେଜଣଙ୍କୁ ସମ୍ବର୍ଦ୍ଧିତ କରି ଆତ୍ମପ୍ରଚାରରେ ବ୍ୟସ୍ତ ଥିବାବେଳେ, ଗବେଷଣା ଦିଗପ୍ରତି ସଂପୂର୍ଣ୍ଣ ଉଉାସୀନ ରହିଥାନ୍ତି ।