Page:Jati, Jagruti o Pragati.pdf/29

From Wikisource
Jump to navigation Jump to search
This page has been proofread.

୩୦ / ଜାତି, ଜାଗୃତି ଓ ପ୍ରଗତି
ପଦ ସଂଯୋଜନା କୌଶଳ ଶିକ୍ଷା ପ୍ରଦାନ ବଳରେ ଏହି ଶ୍ରେଣୀର ଶିକ୍ଷକମାନେ କେବଳ ବହି ପଢ଼ିବା ଓ ପଢ଼ାଇବା ମଧ୍ୟରେ ସୀମିତ ରଖନ୍ତି । କାରଣ ମାତୃଭାଷାରେ ନିୟୋଜିତ ଏହି ଶିକ୍ଷକଗଣ ଅନ୍ୟାନ୍ୟ ବିଷୟ ପରି ମାତୃଭାଷାରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ନୁହନ୍ତି ତଥା ଓଡ଼ିଆ ଭାଷା ଓ ସାହିତ୍ୟ ସଂପର୍କରେ ଏମାନଙ୍କର କୌଣସି ଜ୍ଞାନ ନାହିଁ । ଅଥଚ ପରୀକ୍ଷା ଖାତାରେ ‘ସ’ ବଳରେ ‘ଶ’ (ଠିକ୍ ହୋଇଥିଲେ ମଧ୍ୟ) ଲେଖିଦେଲେ ସଂଗେ ସଂଗେ ନାଲିଗାର ପକାଇ ନମ୍ବର କଟାଇ ନିଜର ପାଣ୍ଡିତ୍ୟ ପ୍ରଦର୍ଶନରେ ହେଳା କରନ୍ତି ନାହିଁ ।

୩ - ମହାବିଦ୍ୟାଳୟ ସ୍ତରରେ ମାତୃଭାଷାର ଶିକ୍ଷାାଦାନ ପଦ୍ଧତି ଭିନ୍ନ ଧରଣର । ନୂତନ ପରିବେଶ ସହିତ ନବ ବୟସରେ ଉପନୀତ କିଶୋର ବିଦ୍ୟାର୍ଥୀଙ୍କ ନିକଟରେ ଅଧ୍ୟାପକଙ୍କ ପଠନଶୈଳୀ ଏପରି ହୋଇଥାଏ ଯେ, ଏହିଠାରୁ ହିଁ ମାତୃଭାଷା ଶିକ୍ଷାପ୍ରତି ସୃଷ୍ଟି ହୁଏ ଚରମ ଉାସୀନତା । ବାଧ୍ୟତାମୂଳକ ସାହିତ୍ୟ ଶ୍ରେଣୀ ବର୍ଷ ମଧ୍ୟରେ କେବେ କେମିତି ହେଉଥିବାବେଳେ, ବିଦ୍ୟାର୍ଥୀ ମନରେ ସୃଷ୍ଟି ହେଉଥିବା ଅସଂଖ୍ୟ ପ୍ରଶ୍ନର ସମାଧାନପାଇଁ ଅଧ୍ୟାପକଙ୍କ ନିକଟରେ ସମୟ ନ ଥାଏ । ଫଳରେ ଏମାନେ ପରୀକ୍ଷାରୂପକ ବୈତରଣୀ ପାର ହେବାପାଇଁ ବିଭିନ୍ନ ବିଭ୍ରାନ୍ତିମୂଳକ ସହାୟକ ପୁସ୍ତିକାର ସାହାଯ୍ୟ ନେଇଥାନ୍ତି । କେତେକ ଓଡ଼ିଆ ବଦଳରେ ସଂସ୍କୃତକୁ ମଧ୍ୟ ମାତୃଭାଷା ଭାବରେ ଗ୍ରହଣ କରି ଅଧିକ ଅଙ୍କଲାଭ କରିବାର ପ୍ରଲୋଭନକୁ ଏଡାଇ ପାରୁନାହାନ୍ତି ।

ଏହି ସମୟର ଇଚ୍ଛାଧୀନ ଓଡ଼ିଆ ବିଷୟର ଅବସ୍ଥା ମଧ୍ୟ ତଦୃପ । ପୁସ୍ତକର ବୋଝ ସହ ଅଧ୍ୟାପକମାନଙ୍କ ଆନ୍ତରିକହୀନ ଶିକ୍ଷାଦାନ ପଦ୍ଧତି ଛାତ୍ରମନରେ ବିରକ୍ତିଭାବ ସୃଷ୍ଟି କରେ ଏହି ବିଷୟ ପ୍ରତି ।

୪ - +୩ ବା ସ୍ନାତକ ଶ୍ରେଣୀର ଦୁଇଟି ବର୍ଷରେ ପ୍ରଚଳିତ ବାଧ୍ୟତାମୂଳକ ଓଡ଼ିଆ ସାହିତ୍ୟ ବିଷୟ ପଠନଧାରା ପୂର୍ବପରି । ଏହି ଶ୍ରେଣୀରେ ଯେଉଁମାନଙ୍କୁ କୌଣସି ବିଷୟ ସମ୍ମାନ ଭାବରେ ମିଳି ନ ଥାଏ, ସେମାନେ ‘ଓଡ଼ିଆ’ ବିଷୟକୁ ‘ସମ୍ମାନ ପତ୍ର’ ଭାବେ ଗ୍ରହଣ କରିଥାନ୍ତି । ହୁଏତ ଏହି କାରଣ ଯୋଗୁଁ ଏହି ବିଭାଗ ପ୍ରତି ଅନ୍ୟାନ୍ୟ ବିଭାଗର ଛାତ୍ର ତଥା ଅଧ୍ୟାପକମାନଙ୍କର ମାନସିକସ୍ତରରେ ଘୃଣାଭାବ ରହିଛି । ଅବଶ୍ୟ ସାହିତ୍ୟ ପ୍ରତି ରୁଚିଥିବା ଅନେକ ଭଲ ଛାତ୍ର ମଧ୍ୟ ଏହାକୁ ସ୍ୱତନ୍ତ୍ର ସମ୍ମାନପତ୍ର ଭାବରେ ଗ୍ରହଣ କରିଥା’ନ୍ତି । ମାତ୍ର ଏହି ବିଭାଗର ଅଧ୍ୟାପକଗଣ ଅନ୍ୟାନ୍ୟ ବିଷୟର ଅଧ୍ୟାପକଙ୍କ ଭଳି ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ନ ଥା’ନ୍ତି । ନାମକୁ ମାତ୍ର ଶ୍ରେଣୀକକ୍ଷରେ ଯୋଗ ଦେଇ ନୂତନ ତଥ୍ୟ ପ୍ରଦାନ ବଳରେ ପାରମ୍ପରିକ ଶୈଳୀରେ ସାଧାରଣ କଥାକୁ