Jump to content

Page:Jati, Jagruti o Pragati.pdf/25

From Wikisource
This page has been proofread.

୨୬ / ଜାତି, ଜାଗୃତି ଓ ପ୍ରଗତି

୨୦ ବର୍ଷ ପଛରେ ସୃଷ୍ଟ ଆନ୍ଧ୍ରପ୍ରଦେଶ ପ୍ରଥମେ ଏକ ଗରିବ ରାଜ୍ୟ ଥିଲା । ଏବେ ମଧ୍ୟ ଏହାର ମୁଣ୍ଡପିଛା ଋଣଭାର ଓଡ଼ିଶାଠାରୁ ଅଧିକ । ମାତ୍ର ଦୃଢ଼ ନେତୃତ୍ୱ ତଥା ଜନସାଧାରଣଙ୍କ କଠୋର ପରିଶ୍ରମ ଓ ନିଃସ୍ୱାର୍ଥପର ମନୋଭାବ ଆଜି ଆନ୍ଧ୍ରକୁ ଏକ ସମୃଦ୍ଧ ରାଜ୍ୟ ଭାବରେ ଠିଆ କରାଇପାରିଛି । ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟରେ ବିପର୍ଯ୍ୟସ୍ତ ଏହି ରାଜ୍ୟ ଆଜି ମାଛ, ମାଂସ, ଅଣ୍ଡା, ପନିପରିବା, ଫଳ ଉତ୍ପଦନ ଏବଂ ରପ୍ତାନୀରେ ଅଗ୍ରଣୀ ରାଜ୍ୟ ହେବା ସହ ଆଧୁନିକ ମାନବ ଜୀବନର ଅଭିନ୍ନ ଅଂଶ-ବିଜ୍ଞାନର ଜୟଯାତ୍ରାରେ ନିଜକୁ ସାମିଲ କରି ସାଇବରାବାଦ ଭାବରେ ନୂତନ ପରିଚୟ ସୃଷ୍ଟି କରିପାରିଛି । ଆନ୍ଧ୍ର ଜନତାଙ୍କ ସ୍ୱାଭିମାନ, କତ୍ତର୍ବ୍ୟନିଷ୍ଠା, ପରିଶ୍ରମ, ଓ ଜାତିପ୍ରେମ ଭାବନା ଯୋଗୁଁ ଆମେରିକା ଭଳି ବିଶ୍ୱର ଶ୍ରେଷ୍ଠ ଶକ୍ତିଶାଳୀ ରାଷ୍ଟ୍ରରମୁଖ୍ୟ ତଥା ବିଲ୍‌ଗେଟସ୍ ଭଳି ଧନୀ ବ୍ୟକ୍ତିମାନେ ଭାରତ ଗସ୍ତ କାଳରେ ଆନ୍ଧ୍ରମାଟିକୁ ଆସି ଆନ୍ଧ୍ର କୃଷକ ସହ ଫଟୋ ଉଠାଇବାକୁ ଗୌରବ ବୋଲି ମନେ କରୁଛନ୍ତି । ତେଣୁ ଏଭଳି ସ୍ଥିତିରେ ଆମ ଓଡ଼ିଆମାନଙ୍କ ସ୍ଥାନ କେଉଁଠି, ତାହା ବିଚାର କରିବାର ସମୟ ଆସି ପହଞ୍ଚିଛି । ଏଠି ଅବଶ୍ୟ କେବଳ ଏତିକି ମାତ୍ର ସାନ୍ତ୍ୱନା ଦେବା ଯେ, ଆନ୍ଧ୍ରର ଏଭଳି ବିକାଶ କ୍ଷେତ୍ରରେ କେତେଜଣ ବଳିଷ୍ଠ ଓଡ଼ିଆ ଅଫିସରଙ୍କ ଅବଦାନ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅନେକ ଓଡ଼ିଆ ଆଇଏଏସ୍ ଅଫିସର ଆନ୍ଧ୍ର, ବଙ୍ଗଳା, ଗୁଜୁରାଟ, ମହାରାଷ୍ଟ୍ର, ଦିଲ୍ଲୀ ଭଳି ଅଞ୍ଚଳର ସାମଗ୍ରିକ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରି ଯଥେଷ୍ଟ ସୁନାମ ପାଉଥିବା ବେଳେ, ଏଠାରେ ଓଡ଼ିଆ ଅଫିସରମାନେ ଓଡ଼ିଶା ପ୍ରଗତିରେ ବାଧା ସୃଷ୍ଟି କରୁଛନ୍ତି । ଏମାନଙ୍କୁ ସହଯୋଗ କରୁଛନ୍ତି ଅଣଓଡ଼ିଆ ଲାଞ୍ଚୁଆ ଅଫିସରଗଣ । ସେହିମାନଙ୍କ କୁକର୍ମପାଇଁ ଓଡ଼ିଶା ଆଜି ନିନ୍ଦିତ ହେଉନାହିଁ, ବରଂ ନିରୀହ ଜନତାଙ୍କୁ ଭାଗ୍ୟବାଦୀ ଭାବରେ ଗଢ଼ି ତୋଳିବାକୁ ପ୍ରଚ୍ଛନ୍ନ ପ୍ରୋତ୍ସାହିତ କରୁଛନ୍ତି ।

କିନ୍ତୁ ଆମେ କେତେଦିନ ଏହି ହୀନକର୍ମୀଙ୍କପାଇଁ ଭାଗ୍ୟକୁ ଖୋଜୁଥିବା ! କଳିଙ୍ଗାଃ ସାହସିକାଃ - ଏହା ଏକ ପୋଥିଗତ ବିଦ୍ୟା ହୋଇସାରିଛି । ଏହାକୁ ବାସ୍ତବରୂପ ଦେବାକୁ ହେଲେ, ଏହି କଥା ସଭା ସମିତିରେ ବାରମ୍ବାର ଉଦ୍ଧୃତି ନ ଦେଇ କର୍ତ୍ତବ୍ୟ ପ୍ରତି ଗୁରୁତ୍ତ୍ଵ ଦେବାର ସମୟ ଆସି ପହଞ୍ଚିଛି । ଆନ୍ଧ୍ରବାସୀଙ୍କ ପରି ଯଦି ଓଡ଼ିଶାର ସାମଗ୍ରିକ ବିକଶିତ ରୂପ ଦେଖିବାକୁ ଚାହିଁବା, ତେବେ ଏହି ନିର୍ମୂଳି ଲଟାଗୁଡ଼ିକ କାଟି ସଫା କରିବାକୁ ଆଗଭର ହେବା । ଯନ୍ତ୍ରଣା ଜର୍ଜରିତ ଓଡ଼ିଆ ମନକୁ ସବୁଦିନ ବୋହି ଚାଲିବା ଅପେକ୍ଷା ଏହାକୁ ତ୍ୟାଗ କରିବାପାଇଁ ପୁଣି ଏକ ବଜ୍ର ଶପଥ ନେବା । ଏଇ ନିରକ୍ଷର କୁଟିଆ ଅଧିବାସୀଙ୍କ ସ୍ୱାଭିମାନକୁ ପାଥେୟ କରି ସେମାନଙ୍କ ସଂଘର୍ଷମୟ ଜୀବନରେ ନିଜକୁ ସାମିଲ କରିନେବା ହେବ ଜଣେ ପ୍ରକୃତ ଓଡ଼ିଆତ୍ୱର ପରିଚୟ । ଆମେ ଦେଖାଇ ଦେବା ଆନ୍ଧ୍ର ଆମ ଉପରେ ନିର୍ଭରଶୀଳ - ଆମେ ଆନ୍ଧ୍ର ଉପରେ ନୁହେଁ । ଆମେ ଯଦି ମାଛ,