Page:Jati, Jagruti o Pragati.pdf/19

From Wikisource
Jump to navigation Jump to search
This page has been proofread.

୨୦ / ଜାତି, ଜାଗୃତି ଓ ପ୍ରଗତି
ହୋଇଥିବା ନଅଙ୍କ ଦୁର୍ଭିକ୍ଷ ଏବଂ ପ୍ରାକୃତିକ ବିପର୍ଯ୍ୟୟରେ ବିପର୍ଯ୍ୟସ୍ତ ଓଡ଼ିଶାର ଏକମାତ୍ର ଜୀବିକା କୃଷି ବ୍ୟବସ୍ଥା ସ୍ଥାଣୁ ହେବାରୁ ଓଡ଼ିଆ ଜାତି ନିଜର ସ୍ୱାଭିମାନ ହରାଇ ଅନ୍ୟର ହାତ ଟେକାକୁ ଅନାଇ ବସିଲା ।

ବର୍ତ୍ତମାନର ସାଧବପୁଅ, ପୋତ ଓ ପୋତାଶ୍ରୟ :

ସାଧବପୁଅର ବଂଶଧର ଭାବେ ପରିଚିତ ଓଡ଼ିଆ ଯୁବସମାଜ ଆଜି ଦିଗହରା । ଜାତି ଭିତ୍ତିରେ ଭାଗ ଭାଗ ହୋଇ ନିଜ କୌଳିକ ବୃତ୍ତିରୁ ନିବୃତ । ଶିକ୍ଷାର ବ୍ୟବସାୟୀକରଣ ଯୋଗୁଁ ଗରିବ ଓଡ଼ିଆ ଉଚ୍ଚଶିକ୍ଷା/ପ୍ରାୟୋଗିକ ଶିକ୍ଷାପ୍ରାପ୍ତିଠାରୁ ମଧ୍ୟ ବହୁ ଦୂରରେ । ଧର୍ମାନ୍ଧତା, ରାଜନୈତିକ କୁଚକ୍ର, ମାରୱାଡ଼ି, ବିହାରୀ, ବଙ୍ଗାଳୀଙ୍କ ଅର୍ଥନୈତିକ ଓ ସାମାଜିକ ଶୋଷଣକୁ ବୁଝି ନ ପାରି ଏମାନଙ୍କ ଜାଲରେ ଫସି ଯାଉଛନ୍ତି ସରଳ ଓଡ଼ିଆଗଣ - ନିଜର ସାମାନ୍ୟ ସ୍ୱାର୍ଥ ବିନିମୟରେ । ଫଳରେ ଗୋଟିଏ ଜାତିର ବିକାଶପାଇଁ ଯୁବସମାଜର ସକ୍ରିୟ ଭୂମିକା ଥିବାବେଳେ, ଆମ ଯୁବସମାଜ ଆମପାଇଁ ବୁମେରାଂ ହୋଇଯାଇଛି । ସେଥିପାଇଁ “ଖସିଗଲା ଗୋଡ଼ ତଳକୁ ତଳକୁ” ଭଳି ଓଡ଼ିଶାର ଗତି ଓ ପ୍ରଗତି ନିମ୍ନଗାମୀ ହେଉଛି । ତଥାପି ଓଡ଼ିଶାର ବାଣିଜ୍ୟ ବ୍ୟବସାୟ ଯେଉଁ କେତେଜଣଙ୍କ କାନ୍ଧରେ ପଡିଛି, ସେମାନେ ଶୁଖୁଆ, ଚିଙ୍ଗୁଡ଼ି, ମାଛ କିମ୍ବା ଓଡ଼ିଶାର ଭୁଗର୍ଭରେ ଲୁକ୍କାୟିତ ଅମୂଲ୍ୟ ଖଣିଜ ଦ୍ରବ୍ୟକୁ ଖୋଳି ଚୋରାରେ ଶାଗମାଛ ଦରରେ ବିଦେଶୀ ବେପାରୀଙ୍କୁ ବିକ୍ରି କରିବାରେ ବ୍ୟସ୍ତ । ଏଥିପାଇଁ ସ୍ୱାଧୀନତା ପରେ ଓଡ଼ିଶାରେ ନିର୍ମିତ ହୋଇଥିବା ବହୁ ଆକାଂକ୍ଷିତ ଏକମାତ୍ର ବୃହତ୍ ବନ୍ଦର ପାରାଦ୍ଵୀପ ବହୁତ ସହଯୋଗ କରୁଛି । ତଥାପି ଏହି ବେପାରୀଙ୍କ ସ୍ୱାର୍ଥ ଲିପ୍ସା ପୂରଣ ହୋଇ ନ ପାରିବାରୁ ଗୋପାଳପୁର ଓ ଧାମରାଠାରେ ଆଉ ଦୁଇଟି ସବୁିନିଆ ବନ୍ଦର ସ୍ଥାପନ କରାଯାଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୁଜୁରାଟ ଭଳି ରାଜ୍ୟରେ କୃଷି ଓ ଖଣିଜ ଦ୍ରବ୍ୟ ପ୍ରଚୁର ପରିମାଣରେ ନ ଥିବା ବେଳେ କେବଳ ବାଣିଜ୍ୟକୁ ଆଧାର କରି ଭାରତର ଶ୍ରେଷ୍ଠ ବିକଶିତ ରାଜ୍ୟରେ ପରିଣତ ହୋଇଛି । ଗୁଜୁରାଟବାସୀଙ୍କ ସ୍ୱାର୍ଥକୁ ଲକ୍ଷ୍ୟ କରି ଅନୁକୁଳ ଭିତ୍ତିଭୂମି ନ ଥିଲେ ମଧ୍ୟ କେନ୍ଦ୍ର ସରକାର ୨୩ଟି ବନ୍ଦର ସ୍ଥାପନ କରି ବର୍ହିବାଣିଜ୍ୟକୁ ଉତ୍ସାହିତ କରୁଛନ୍ତି । ମାତ୍ର ବାଣିଜ୍ୟପ୍ରିୟ ଓଡ଼ିଆ ଜାତିର ସ୍ଥବିରତା ଓ ପଖାଳଖିଆ ନୀତି ଯୋଗୁଁ ବର୍ତ୍ତମାନର ଦୀର୍ଘ ୪ଶହ ମାଇଲ ସାମୁଦ୍ରିକ ବେଳାଭୂମିରେ ଅତିକମ୍ରେ ୩୦ଟି ବନ୍ଦର ସ୍ଥାପିତ ହେବା ଭିତ୍ତିଭୂମି ଥିବାବେଳେ, ରାଜ୍ୟ ସରକାର ମାତ୍ର ୧୧ଟି ସ୍ଥାନ ଚିହ୍ନଟ କରିଛନ୍ତି ବନ୍ଦର ନିର୍ମାଣପାଇଁ । ଏହି ବନ୍ଦରଦ୍ଵାରା ଉକ୍ରଳୀୟ କଳାନୈପୁଣ୍ୟ ବା ଶିଳ୍ପଚାତୁରୀ ନୁହଁ କିମ୍ବା ଆଧୁନିକ ଟେକ୍ନୋଲୋଜି ନୁହଁ, ବରଂ