Page:Jati, Jagruti o Pragati.pdf/15

From Wikisource
Jump to navigation Jump to search
This page has been proofread.

୧୬ / ଜାତି, ଜାଗୃତି ଓ ପ୍ରଗତି

କଳିଙ୍ଗର ଗର୍ବ-ସାଧବପୁଅ:

ସଂସ୍କୃତ ମହାଭାରତରୁ ଜଣାଯାଏ, କଳିଙ୍ଗର ଚେଦି ରାଜାଗଣ ବର୍ହିବାଣିଜ୍ୟରେ ପୁଞ୍ଜି ଖଟାଇ ବାଣିଜ୍ୟ କାରବାରକୁ ଉତ୍ସାହିତ କରୁଥିଲେ । ବଣିଜ କରୁଥିବା ବ୍ୟକ୍ତିମାନଙ୍କୁ ‘ସାର୍ଥ’ ଓ ଏହାର ମୁଖ୍ୟଙ୍କୁ ‘ସାର୍ଥବାହ’ କୁହାଯାଇଛି । ଏହି ‘ସାର୍ଥବାହ’ ଶବ୍ଦ ପରବର୍ତ୍ତୀ କାଳରେ ବଦଳି ସାଧବ ହୋଇଛି । ଏହି ସାଧବଗଣଙ୍କଦ୍ଵାରା ପୃଥିବୀ ପ୍ରସିଦ୍ଧ ସୂକ୍ଷ୍ମ ବସ୍ତ୍ର, କୋଶଳର କୋଶା ବସ୍ତ୍ର ଓ କପାବସ୍ତ୍ର, ହୀରାକୁଦର ସୁନା, ରୂପା, ହୀରା, ପଦ୍ମରାଗ, ସ୍ଫଟିକ, ରକ୍ତମଣି, ନୀଳମଣି, ପାନ୍ନା ସହିତ ବିଭିନ୍ନ ଧାତୁକର୍ମ, ତାରକସି କାମ ଏବଂ ମାଟିପାତ୍ର, ଲୁଣ, ଚାଉଳ ଆଦି ରପ୍ତାନୀ ହେଉଥିବା କଥା ଚାଣକ୍ୟଙ୍କ ‘ଅର୍ଥଶାସ୍ତ୍ର’ରୁ ଜଣାପଡ଼େ । ସେହିପରି ରଣପୁର ଓ ତିଗିରିଆର ତନ୍ତୀମାନଙ୍କ୍ୱାରା ପ୍ରସ୍ତୁତ ସୂକ୍ଷ୍ମବସ୍ତ୍ର ବାଉଁଶନଳୀ ମଧ୍ୟରେ ମୁଦ ଦେଇ ବିଦେଶକୁ ରପ୍ତାନୀ କରାଯାଉଥିଲା ବୋଲି ପ୍ରଥମ ଶତାବ୍ଦୀରେ ରଚିତ “ପେରିପ୍ଲସ ଅଫ୍ ଦି ଆରିଥ୍‌ରିଆନ୍ ସି” ପୁସ୍ତକରେ ଉଲ୍ଲେଖ କରାଯାଇଛି । ଏପରିକି ଗୁପ୍ତକାଳର କଳିଙ୍ଗ ବର୍ହିବାଣିଜ୍ୟ ବିକାଶକୁ ଲକ୍ଷ୍ୟ ରଖି କାଳିଦାସ ତାଙ୍କ ରଘୁବଂଶ କାବ୍ୟରେ କଳିଙ୍ଗ ରାଜାଙ୍କୁ ମହୋଦଧିପତି ବୋଲି ସମ୍ବୋଧନ କରିଛନ୍ତି । ପ୍ରାଚୀନ ବୌଦ୍ଧଧର୍ମ ଗ୍ରନ୍ଥ “ଆର୍ଯ୍ୟ ମଞ୍ଜୁଶ୍ରୀ ମୂଳକଳ୍ପ” ବର୍ଣ୍ଣନା ଅନୁସାରେ କଳିଙ୍ଗ ସାଗର ମଧ୍ୟରେ ଥିବା ସମସ୍ତ ଦ୍ଵୀପ କଳିଙ୍ଗ ଦେଶ ନାମରେ ପରିଚିତ ।

ଓଡ଼ିଶା ବାହାରେ ଓଡ଼ିଆଙ୍କ ପଦ ଚିହ୍ନ:

ଏହିଭଳି ଖୋଜି ବସିଲେ ଇତିହାସ ପୃଷ୍ଠାରୁ ବହୁତ କଥା ବାହାରିବ । ସେହିଭଳି ମାଟି ଖୋଳିଲେ ବହୁଦେଶ ସହ ବାଣିଜ୍ୟ କାରବାରର ସ୍ମୃତିଚିହ୍ନ ମିଳିଯିବ । ପୁଣି ଏହି ସ୍ମୃତି ଓଡ଼ିଶା ବାହାରେ ମଧ୍ୟ ମିଳିଛି । ଉତ୍କଳୀୟଙ୍କଦ୍ଵାରା ସର୍ବପ୍ରଥମେ ଉପନିବେଶ ସ୍ଥାପନ କରାଯାଇଥିଲା ବ୍ରହ୍ମଦେଶ ବା ମିଆଁମାରରେ । ଏଠାରେ ଶୈବ ଓ ବୈଷ୍ଣବ ଉପାସନା ଆମରି ସାଧବ ପୁଅଦ୍ଵାରା ପ୍ରତିଷ୍ଠିତ । କାମ୍ବୋଡ଼ିଆର ହରିହର ଉପାସନା, ଭିଏତନାମର ପୁରୁଷୋତ୍ତମ ମନ୍ଦିର ଓ ଭଗବତୀ ମନ୍ଦିର ମଧ୍ୟ ଆମ ସାଧବ ପୁଅଦ୍ଵାରା ପ୍ରତଷ୍ଠିତ- ଯାହା ଏବେ ଓଡ଼ିଆତ୍ୱକୁ ବହନ କରିଛି । ଭିଏତନାମ, ବାଲି, ଜାଭା, ସୁମାତ୍ରା ଆଦି ଦ୍ଵୀପପୁଞ୍ଜରୁ ମିଳିଥିବା ପୁରାତନ ଅଭିଲେଖରେ ଓଡ଼ିଆ ଓ ସଂସ୍କୃତ ଲିପି ବ୍ୟବହୃତ ହୋଇଛି । ଓଡ଼ିଶାରେ ଶ୍ରୀଜଗନ୍ନାଥଙ୍କୁ ସ୍ତୁତି କରାଯାଉଥିବା ମନ୍ତ୍ର- “ଓଁ କ୍ଷମସ୍ୱ ମାଂ ଜଗନ୍ନାଥ ସର୍ବପାପ ନିରାକାରଂ । ସର୍ବକାର୍ଯ୍ୟ ଇଦମ୍ ଦେହି ପ୍ରଣମାମି ସୁରେଶ୍ୱରମ”କୁ ମଧ୍ୟ ଏର୍ପ୍ୟନ୍ତ ବାଲିଦ୍ଵୀପବାସୀ ଶିବ ଉପାସନାରେ ବ୍ୟବହାର କରୁଛନ୍ତି । ଓଡ଼ିଶାର ଗୋଟିପୁଅ ନାଚ ଭଳି ଏକ ଲୋକନୃତ୍ୟ