Page:Jati, Jagruti o Pragati.pdf/147

From Wikisource
Jump to navigation Jump to search
This page has been proofread.

୧୪୮ / ଜାତି, ଜାଗୃତି ଓ ପ୍ରଗତି
ଖୋଲାଥିବା ଏକ ସମୁଦ୍ରଘୋଟକ ରୂପରେ ଓଡ଼ିଶା ନାମକ ରାଜ୍ୟକୁ ଫେରିପାଇଛୁ । ତଥାପି ଏହି ସୀମିତ ଅଞ୍ଚଳରେ ପ୍ରକୃତି ସବୁକିଛି ଭରିଦେଇଛି ତା’ର ଭବିଷ୍ୟତ ବଂଶଧରଙ୍କପାଇଁ । ଅଥଚ ଏହି ବଂଶଧରଙ୍କର ଶାସନରେ କୁପରିଚାଳନା ଯୋଗୁଁ ପୁଣି ଥରେ ନିଜର ନିଜତ୍ୱକୁ ହରାଇବାକୁ ବସିଛି ଆମର ଏହି ପବିତ୍ର ଓଡ଼ିଶାମାଟି- ଠିକ୍ ଆଫ୍ରିକାର ସେନେଗାଲ ରାଷ୍ଟ୍ରପରି । ଦୀର୍ଘ ତିନି ଦଶନ୍ଧି ଧରି ଦାରିଦ୍ର୍ୟର ପରିଚୟ ବହନ କରିଥିବା ଓଡ଼ିଶା ଆଜି ଅନ୍ୟ ରାଷ୍ଟ୍ରର ବୁଦ୍ଧି, ବିବେକ, ଶିଳ୍ପ ଉପରେ ନିର୍ଭର କରୁଥିବାବେଳେ, ଖାଦ୍ୟପାଇଁ ଧୀରେ ଧୀରେ ପଡ଼ୋଶୀ ରାଜ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପଡୁଛି । ଅର୍ଥାତ୍ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ, ଜାଲଭଳି ବିଚ୍ଛୁରିତ ନ‌ଦୀନାଳପୂର୍ଣ୍ଣ ଜଳସଂପଦ ଏବଂ କଠୋର ପରିଶମ୍ରୀ ମାନବସମ୍ବଳ ସହିତ କୃଷି, ଶିଳ୍ପ, ବାଣିଜ୍ୟର ପ୍ରଚୁର ଭିତ୍ତିଭୂମି ଥିବାବେଳେ; ଏହାର ଉପଯୁକ୍ତ ବିନିଯୋଗ ହେବାରେ ଆନ୍ତରିକତା ନ ଥିବାରୁ ଆଜି ଓଡ଼ିଆପୁଅ ନିଜ ପେଟପୋଷିବାପାଇଁ ଭିକ୍ଷା ମାଗିବା ଭଳି ବିଭିନ୍ନ ଉପାୟ ଅବଲମ୍ବନ କରିବା ସହିତ; ଅତୀତର ଶୌର୍ଯ୍ୟାମୟୀ ଅବଗୁଣ୍ଠନବତୀ ଓଡ଼ିଆ କିଶୋରୀ ତରୁଣୀ ଆଜି ସହସ୍ରଶଯ୍ୟାର ନାୟିକା ପାଲଟିବାକୁ ତିଳେହେଲେ କୁଣ୍ଠାବୋଧ କରୁନାହିଁ ।

କାହିଁକି ଆଜି ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି?

ପ୍ରକୃତି ରାଜ୍ୟର ଗନ୍ତାଘର ରୂପେ ପରିଚିତ ଓଡ଼ିଶା ନାମକ ଏହି ଭୂଖଣ୍ଡଟି ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବା ପରଠାରୁ ଅନ୍ୟମାନଙ୍କ ନିକଟରେ ଯେକୌଣସି କାର୍ଯ୍ୟକାରଣପାଇଁ ହାତପାତି ଭିକ୍ଷା ମାଗୁଥିବାବେଳେ, ଏକବିଂଶ ଶତାବ୍ଦୀର ବିଶ୍ୱ ଅଧିବାସୀ ଯେତେବେଳେ ଅନ୍ତରୀକ୍ଷରେ ବାସ କରିବାର ପରିକଳ୍ପନା କରୁଛନ୍ତି, ସେତେବେଳେ ଏ ଭୂଖଣ୍ଡ ନିଜ ବକ୍ଷରେ ଧାରଣ କରିଥିବା ଅଯୋଗ୍ୟ ସନ୍ତାନଗଣଙ୍କ ଉଦର ପୂରଣପାଇଁ ବିଦେଶୀ ଶିଳ୍ପପତିଙ୍କ ନିକଟରେ ଦେହଦାନ କରିବାକୁ ବାଧ୍ୟ ହେଉଛି । ନିଜର ଅତଳ ଭୂଗର୍ଭରେ ଗଚ୍ଛିତ କରି ରଖିଥିବା ୬୯ ପ୍ରକାରର ଖଣିଜଦ୍ରବ୍ୟ ଲୋଭରେ ବିଶ୍ୱର ବୃହତ୍ ଶିଳ୍ପଗୋଷ୍ଠୀଗଣ ଏହି ଭୂଖଣ୍ଡରୁ କ୍ଷୁଧା, ଦାରିଦ୍ର୍ୟ, ନିରକ୍ଷରତା ଦୂର କରିବାର ଲୋଭନୀୟ ପ୍ରତିଶ୍ରୁତି ଦେଇ ଏହାକୁ ଲୁଣ୍ଠନ କରିବାର କଳା, କୌଶଳ ଆରମ୍ଭ କରିସାରିଲେଣି । ଆମର ଲୋକପ୍ରତିନିଧିଗଣ ଏମାନଙ୍କ ପ୍ରଦତ୍ତ ବିଭିନ୍ନ ଲୋଭନୀୟ ପ୍ରସ୍ତାବବ୍ୱାରା କବଳିତ ହୋଇସାରିଥିବାବେଳେ, ଏବେ ସାଧାରଣ ଜନତାଙ୍କୁ ପ୍ରଲୋଭିତ କରିବାକୁ ବିଭିନ୍ନ ଉପାୟ ଖଞ୍ଜିବାରେ ଏମାନେ ବ୍ୟସ୍ତ । ପ୍ରଗତିର ଚକ ଗଡ଼ାଇ ଏହି ରାଜ୍ୟ ଓ ରାଜ୍ୟବାସୀଙ୍କୁ ଧନୀ କରିବାର ସ୍ୱପ୍ନ ମଧ୍ୟରେ ଯେଉଁ ଶିଳ୍ପ ସ୍ଥାପନ କରାଯିବାର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି, ତାହା କେତେକ ଦଲାଲ ଓ ଶିଳ୍ପପତିଙ୍କୁ ଧନୀ କରାଇବାରେ ସାହାଯ୍ୟ କରିପାରେ; ମାତ୍ର ଓଡ଼ିଶାବାସୀଙ୍କୁ ସ୍ୱାବଲମ୍ବୀ କରାଇବାର କୌଣସି ଭିତ୍ତିଭୂମି ପ୍ରସ୍ତୁତ କରାଇପାରିବନାହିଁ । ବରଂ ଅଭାବ ଅନଟନ ମଧ୍ୟରେ ବି ଶାନ୍ତିରେ ନିଶ୍ୱାସ ମାରିପାରୁଥିବା ସରଳ ଅଥଚ