Jump to content

Page:Jati, Jagruti o Pragati.pdf/142

From Wikisource
This page has been proofread.

ଜାତି, ଜାଗୃତି ଓ ପ୍ରଗତି / ୧୪୩
ତଥା ଶବରେ ରୂପାନ୍ତରୀତ ହୋଇଥାଏ । ଆଉ ଆଜି ପ୍ରାଚୀନର ସେହି ସୁସଂହତ ଭାରତବର୍ଷ ସେହି ଶବରେ ରୂପାନ୍ତରୀତ ହେବାକୁ ଯାଉଛି । ଏହାର ମୁଖ୍ୟ କାରଣ ହେଲା ଶିକ୍ଷକ ଓ ତା’ର ଶିକ୍ଷା ବ୍ୟବସ୍ଥା । ଆଜିର ଯୁବ ସମାଜକୁ ଦିଗ୍‌ଭ୍ରଷ୍ଟ ଓ କଳୁଷିତ କରୁଛନ୍ତି ଏହି ଶିକ୍ଷକଗୋଷ୍ଠୀ । ଛୋଟିଆ ପିଲାଟିଏ ବି ଜାଣୁଛି ମିଛ କହିବା ମହାପାପ । ମାତ୍ର ସତ୍ୟ କହିବାର ଯେଉଁ ଅଭୀପ୍ସା, ଆତ୍ମପ୍ରତ୍ୟୟ ଆବଶ୍ୟକ, ତାହା ତା’ ଠାରେ ସୃଷ୍ଟି କରାଯାଇପାରୁ ନାହିଁ । ଫଳରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ଧୀରେ ଧୀରେ ଜମାଟ ବନ୍ଧା ବରଫରେ ପରିଣତ ହେବାକୁ ଯାଉଛି । ଯେଉଁ ଶିକ୍ଷା ଏ ଦେଶର ଜାତିକୁ ମହାନ୍ କରି ଗଢ଼ି ତୋଳିଥା’ନ୍ତା, ତାହାକୁ ଆମେ ଭୁଲିଗଲୁ । ଭୁଲିଗଲୁ ଆମର ପ୍ରାଚୀନ ଚିକିତ୍ସା ପଦ୍ଧତି, ଆୟୁର୍ବେଦ, ଚରକ ସଂହିତାର ମୂଳ ସୂକ୍ତିଗୁଡ଼ିକୁ । ସନ୍ତାନ ଉତ୍ପାଦନକୁ ଛାଡ଼ିଦେଲେ ଆଉ ସମସ୍ତ ଉତ୍ପାଦନକୁ ଆମେ ଅନ୍ୟ ଦେଶ ଉପରେ ନିର୍ଭର କରୁଛୁ । ଘର ବାଡ଼ିରେ ଲୁଣ, ପିଆଜ, ଚାଉଳ, ଗହମର ଦିଗନ୍ତ ବିସ୍ତୃତ ଗୋଦାମ ଏବଂ ମାଟିତଳେ ସୁନା, ରୂପା, କୋଇଲା, ଧାତବ ପଦାର୍ଥ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ଥିଲେ ମଧ୍ୟ ଆଜି ଆମେ ଅନ୍ୟର ହାତଟେକାକୁ ଅନେଇ ବସିଛୁ ।

ଏ ସଂପର୍କରେ ଆଲୋଚନା କଲାବେଳେ ମନେପଡ଼େ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ମୁଖ୍ୟ ହେନେରିକ୍ ବ୍ଲୁମ ରିସ୍କଙ୍କ କଥା । ସଂସ୍କୃତ ଜାଣି ନ ଥିବା ଏହି ବୈଜ୍ଞାନିକଟି ମଙ୍ଗଳ ଗ୍ରହକୁ ଯାନ ପ୍ରେରଣପାଇଁ ଏହାର ନିର୍ମାଣ କୌଶଳ ଭାରତର ପ୍ରାଚୀନ ପରମ୍ପରା ଓ ସାହିତ୍ୟରୁ ନେଇଥିଲେ । ସଂସ୍କୃତ ପଣ୍ଡିତ କଣାଦ ରଚିତ “ବିମାନ ନିର୍ମାଣ ପଦ୍ଧତି” ଯାହା ଦେବନାଗରୀ ଲିପିରେ ତାଳପପତ୍ରରେ ଖୋଦିତ ହୋଇ ବାଙ୍ଗାଲୋରର “ପ୍ରାଚୀନ ପୋଥି ସଂରକ୍ଷଣ ସଂସ୍ଥାନ”ରେ ଗଚ୍ଛିତ ରହିଥିଲା । ସେଠାରେ ସେ ଦୀର୍ଘ ୧୨ ବର୍ଷ କାଳ ଏକନିଷ୍ଠ ଗବେଷଣା କରି ଦେବନାଗରୀ ଲିପି ସହ ସଂସ୍କୃତ ଭାଷାକୁ ଭଲ ଭାବରେ ଆୟତ୍ତ କରିବା ପରେ ନିଜର ଇପ୍‌ସିତ ସୂତ୍ରଟିକୁ ନେଇ ପ୍ରୟୋଗ କରି ସଫଳକାମୀ ହୋଇଥିଲେ । ମାତ୍ର ଆମେ! ସାଧାରଣ କ୍ରାୟୋଜେନିକ୍ ଇଂଜିନ୍‌ପାଇଁ ରୁଷ୍, ଆମେରିକା ଆଦି ଦେଶ ନିକଟରେ ହାତପାତି ଭିକ୍ଷା ମାଗୁଛୁ । ବିଜ୍ଞାନ ଓ ପ୍ରଯୁକ୍ତି ଜ୍ଞାନକୌଶଳ ଲାଭପାଇଁ ସେମାନଙ୍କର ସମସ୍ତ ଦାବୀକୁ ମଥାପାତି ସହ୍ୟ କରିନେଉଛୁ । ଯେଉଁ ଦେଶର ଜନସାଧାରଣ “ହିଂସା ପ୍ରଣୋଦିତ ତରବାରୀର ଜୟ, ପ୍ରକୃତ ଜୟ ନୁହେଁ; ସ୍ନେହ ପ୍ରୀତିଦ୍ୱାରା ଯେଉଁ ଜୟ ଲାଭ କରାଯାଏ, ତାହାହିଁ ପ୍ରକୃତ ଜୟ” ଏବଂ ବୁଦ୍ଧଙ୍କ “ଅହିଂସା ପରମ ଧର୍ମ”କୁ ପାଥେୟ କରି ପ୍ରଭୂତ ସଫଳତା ଲାଭ କରିଥିଲେ, ଅହିଂସା ରୂପକୁ ପ୍ରବର୍ତ୍ତନ କରି ସମଗ୍ର ବିଶ୍ୱର ଶ୍ରଦ୍ଧାଭାଜନ ହୋଇଉଠିଥିଲେ, ଅଥଚ ସେହି ଜାତିର ଦାୟାଦ ହୋଇ ଆମେ କିଛି ବର୍ଷ ପରେ ଉନ୍ନତି ନାଁରେ ହାତ ପାତି ଆମେରିକାଠାରୁ