Jump to content

Page:Jati, Jagruti o Pragati.pdf/127

From Wikisource
This page has been proofread.

୧୨୮ / ଜାତି, ଜାଗୃତି ଓ ପ୍ରଗତି
ପୁସ୍ତକଟିଏ କୌଣସି ବହି ଦୋକାନରେ ବିକ୍ରି ହେବା ଦେଖିବାକୁ ପାଇବାନାହିଁ । ତେଣେ ନିଜକୁ ବିଖ୍ୟାତ ସାହିତ୍ୟିକ କହି ବୁଲୁଥିବା ଆମ ତଥାକଥିତ ଲେଖକଗଣ ଉନ୍ନତ ପୁସ୍ତକ ରଚନା ବଳରେ ବିଭିନ୍ନ ପୁରସ୍କାର-ଉପଢ଼ୌକନପାଇଁ ତୀବ୍ର ପ୍ରତିଯୋଗିତାରେ ବ୍ୟସ୍ତ ରହି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଶୂନ୍ୟ କରିବାରେ ଲାଗିଗଲେଣି । ଫଳରେ ଯଦି ଆଜି କେହି ବିଦ୍ୱାନ, ନିଜପିଲା କିମ୍ବା ପାଠାଗାରାପାଇଁ ବହିଟିଏ କିଣିବାକୁ ମନସ୍ଥ କରିବ, ତେବେ ସେ ସେହି ଫକୀରମୋହନ, ରାଧାନାଥ, କୁନ୍ତଳା କୁମାରୀଙ୍କ ପୁସ୍ତକକୁ ଖୋଜିବ ସିନା, ଆଜିର ଏହି ତଥାକଥିତ ବହୁପୁରସ୍କାରପ୍ରାପ୍ତ ଲେଖକଙ୍କ ରଚିତ ପୁସ୍ତକକୁ ନଜରରେ ମଧ୍ୟ ପକାଇବ ନାହିଁ । ଏକଦା ଏହି ଭାଷାରେ ରଚିତ ସାହିତ୍ୟଗ୍ରନ୍ଥ କାବେରୀରୁ ବ୍ରହ୍ମପୁତ୍ର ନ‌ଦୀ ମଧ୍ୟସ୍ଥ ବିସ୍ତୀର୍ଣ୍ଣ ଭୂଖଣ୍ଡର ଅଧିବାସୀଙ୍କୁ ପ୍ରଭାବିତ କରିପାରିଥିବାବେଳେ, ବର୍ତ୍ତମାନ ଏହା କେବଳ ମହାନ‌ଦୀଠାରୁ କାଠଯୋଡ଼ି ନ‌ଦୀ ମଧ୍ୟରେ ଥିବା ବାଲୁବଜାରର କେତୋଟି ପୁସ୍ତକ ପ୍ରକାଶନ ସଂସ୍ଥା ମଧ୍ୟରେ ସୀମାବଦ୍ଧ ।

ଆମ ପ୍ରଶାସନ ଦାୟିତ୍ୱ କାହା ହାତରେ !

ଭାରତଭଳି ଗଣତନ୍ତ୍ର ରାଷ୍ଟ୍ରରେ ନାଗରିକ ସୁରକ୍ଷାପାଇଁ ଯେଉଁ ପ୍ରଶାସନ ବ୍ୟବସ୍ଥା ରହିଛି, ତାହା ମଧ୍ୟ ଓଡ଼ିଶାପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଯାଇଛି । ଏହିମାନଙ୍କ ଚକ୍ରାନ୍ତ ଯୋଗୁଁ ଓଡ଼ିଶାର ପ୍ରାୟ ୩ କୋଟି ୫୦ ଲକ୍ଷ ସାଧାରଣ ଅଧିବାସୀ ନ୍ୟାୟ ଓ ପ୍ରଶାସନିକ ସୁବିଧା ପାଇବାରୁ ବଞ୍ଚିତ । କାରଣ ଏମାନଙ୍କ ମଧ୍ୟରୁ ପ୍ରାୟ ୭୦ ଭାଗ ହେଉଛନ୍ତି ଅଣଓଡ଼ିଆ, ଯେଉଁମାନେ ଓଡ଼ିଆସ୍ୱାର୍ଥକୁ ସର୍ବଦା ବଳି ପକାଇବାରେ ଆଗଭର । ଏମାନଙ୍କ ସହିତ ଜୁଟିଛନ୍ତି କିଛି ଗୋତ୍ରମାରୁ ଓଡ଼ିଆ ଅଫିସର । ତେଣୁ ଅନ୍ୟ ରାଜ୍ୟଗୁଡ଼ିକ ନିଜ ମାତୃଭାଷାରେ ନ୍ୟାୟିକ ଓ ପ୍ରଶାସନିକ କାର୍ଯ୍ୟ ତୁଲାଉଥିବାବେଳେ, ଆମ ରାଜ୍ୟରେ ସାଧାରଣ ଲୋକ ବୁଝିପାରୁ ନ ଥିବା ଇଂରେଜୀ ଭାଷାରେ ଏହି କାର୍ଯ୍ୟ ଚାଲିଛି । ଏ ବିଷୟରେ ଆମେ ସବୁ ଜାଣି ମଧ୍ୟ ଚୁପ୍ ରହିଯାଉଛୁ, କାଳେ ଆମ ସ୍ୱାର୍ଥରେ ବାଧା ଆସିବ ବୋଲି ।

ଆମ ଶିକ୍ଷିତ ଯୁବକ ବେକାର ହୋଇ ମଧ୍ୟ ନିର୍ବିକାର

ଆମର ଉଚ୍ଚଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଯେଉଁ କେତେଜଣ ଶିକ୍ଷିତବର୍ଗ ବାହାରୁଛନ୍ତି, ସେମାନେ ଶିକ୍ଷାକୁ ଜୀବିକା ଭାବେ ନେଇପାରୁନାହାନ୍ତି । ନିଯୁକ୍ତି ମିଶନ ଜରିଆରେ ସରକାର ଯଦିଓ ଅସଂଖ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି । ତଥାପି ଆଇନ୍, ପ୍ରଶାସନ, ପୋଲିସ, କିରାଣି ଆଦି ନିଯୁକ୍ତି କ୍ଷେତ୍ରରେ ଯେଉଁ ଅନିୟମିତତା, ଦୁର୍ନୀତି ଓ ପ୍ରୀୟାପ୍ରୀତି ସର୍ବସମ୍ମୁଖରେ ଚାଲିଛି, ଏହା ବିରୁଦ୍ଧରେ ମୂକ ଆଉ ଅଥର୍ବ ପାଲଟି ଯାଇଛନ୍ତି ଆମ ଶିକ୍ଷିତ ଯୁବସମାଜ । ନିଜପ୍ରତି ତଥା ନିଜ