Page:Bhasa o Jatiyata.pdf/40

From Wikisource
Jump to navigation Jump to search
This page has not been proofread.

ଭାଷା ଓ ଜାତୀୟତା

ଭାଷା ଅନ୍ତର୍ଭୁକ୍ତ ଯେଉଁ ଓଡ଼ିଆ ବିଭାଗ ରହିଛି, ଯାହା କେବଳ ଓଡ଼ିଶାରୁ ଯାଉଥିବା କେତେକ ଗବେଷକଙ୍କ ଗବେଷଣା ପ୍ରକଳ୍ପ କାର୍ଯ୍ୟ ମଧ୍ୟରେ ସୀମାବଦ୍ଧ । କଲିକତାର ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟ ଯଦିଓ ଓଡ଼ିଶା ବାହାରେ ଓଡ଼ିଆ ଭାଷା ଶିକ୍ଷା ପ୍ରଚାର ଓ ପ୍ରସାର କରିବାର ଏକମାତ୍ର ଅନୁଷ୍ଠାନ, ମାତ୍ର ଏ ବିଭାଗର କାର୍ଯ୍ୟକଳାପ ଏପରି ସ୍ଥିତିରେ ପହଞ୍ଚିଛି ଯେ, ଓଡ଼ିଆ ଭାଷା ଓ ସାହିତ୍ୟ ସଂପଦ ସୁରକ୍ଷା ସଂପର୍କୀତ କାର୍ଯ୍ୟ ଏଠାରୁ ଆଶା କରିବା ବୃଥା । ଏପରିକି ଓଡ଼ିଶା ଭିତରେ ଥିବା ବିଭିନ୍ନ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଆଧ୍ୟାପକ, ପ୍ରାଧ୍ୟାପକ ପ୍ରଫେସରଙ୍କ ନକରାତ୍ମକ ମନୋଭାବ, ଉଦାସୀନତା ଓ ଅଜ୍ଞାନତା ସର୍ବୋପରି ନିଜ ବିଭାଗ ପ୍ରତି ହୀନମନ୍ୟ ଭାବେ ଦେଖିଲେ ଯେକେହି ବୁଝିପାରିବ ଯେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଏପର୍ଯ୍ୟନ୍ତ କାହିଁକି ପାଇପାରୁ ନାହିଁ ।

ଆନ୍ତର୍ଜାତୀକ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଅଣ୍ଟାଭିଡ଼ି ବାହାରିଥିବା ଆମ ସରକାର ଓଡ଼ିଶାବାସୀଙ୍କ ଜମି, ଜଳ, ବିଦ୍ୟୁତ ଶକ୍ତି ସବୁକିଛି ଦେବାକୁ ପ୍ରସ୍ତୁତ ଥିବାବେଳେ ପ୍ରତିବଳରେ ଏହି ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟ, ଅଧ୍ୟାପନା ଓ ଗବେଷଣା ତଥା ଓଡ଼ିଶାର ଇତିହାସ ଓ ପ୍ରତ୍ନତାତ୍ତ୍ୱିକ ବିଭାଗର ପୁନରୁଦ୍ଧାରପାଇଁ ସ୍ୱତନ୍ତ୍ର ବିଭାଗ ମାଧ୍ୟମରେ ଗବେଷଣାକୁ ପ୍ରୋତ୍ସାହିତ କରିବାପାଇଁ ସର୍ତ୍ତ ରଖିନାହାନ୍ତି । ଏପରିକି ଏଥିପାଇଁ ସ୍ୱତନ୍ତ୍ର ଓଡ଼ିଆ ବିଶ୍ୱବିଦ୍ୟାଳୟଟିଏ ସ୍ଥାପନ କରିବାକୁ ସରକାର ଚିନ୍ତାକରି ନାହାନ୍ତି । ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ଖୋଲିବା ଓ ଘରୋଇ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ଆମ ଆଗ ଧାଡ଼ିର ଓଡ଼ିଆ ବୁଦ୍ଧିଜୀବୀଗଣ ମଧ୍ୟ ଏହାକୁ ଗୁରୁତ୍ୱ ଦେଉନାହାନ୍ତି । ତେଣୁ ଏପରି ସ୍ଥଳେ ଓଡ଼ିଆଭାଷାର ପ୍ରାଚୀନତା, ଐତିହ୍ୟକୁ ବିଶ୍ୱବାସୀଙ୍କ ନିକଟରେ କିଏ ଉପସ୍ଥାପିତ କରିବ? ତଥାପି ଆମଭଳି ଛୋଟିଆପ୍ରାଣରେ ଓଡ଼ିଆ ମନନେଇ ଯେଉଁ କେତେକ ଯୁକ୍ତି ଦେଖାଦେଇଛି, ତାହା ନିମ୍ନରେ ସଂକ୍ଷେପରେ ବର୍ଣ୍ଣନା କରୁଛୁ । ଆଶା, ଏହାକୁ ଭିତ୍ତିକରି କିମ୍ବା ବିଶେଷଜ୍ଞ ସମିତିଦ୍ୱାରା ଏହାର ସତ୍ୟତା ନିରୂପଣ କରି ରାଜ୍ୟସରକାର ଓଡିଆଭାଷାକୁ କେନ୍ଦ୍ରସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାପାଇଁଁ ଦାବିକରିବେ ।