ଅକ୍ଷର ଓ ଶବ୍ଦ, ଯାହା ଏପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ନ ହୋଇ କେବଳ ଓଡ଼ିଅା ଲିପି ଓ
ଭାଷାରେ ବ୍ୟବହୃତ ହେଉଛି-ଏଗୁଡ଼ିକୁ ଦୃଷ୍ଟାନ୍ତ ରୂପେ ଗ୍ରହଣ କରିବା ଯଥେଷ୍ଟ ହେବ ।
ଖାରବେଳଙ୍କଦ୍ୱାରା ଖୋଦିତ ଏହି ଲିପିକୁ ଓଡ଼ିଆଭାଷାର ପ୍ରାଚୀନ ଲିପି କହିବାରେ
ଆହୁରି ଅନେକ ଭାଷାବିଜ୍ଞାନ ସମ୍ମତ କାରଣ ରହିଛି । ଏ ସଂପର୍କରେ ଆଲୋଚନା କରିବା
ପୂର୍ବରୁ ପଥରରେ ରାଜାଦେଶ ଖୋଦେଇ ଆରମ୍ଭ କରିଥିବା ଅଶୋକଙ୍କ ବିଭିନ୍ନ ଶିଳାଲେଖ
ସଂପର୍କରେ ଆଲୋଚନା କରାଯାଇପାରେ । ଏପର୍ଯ୍ୟନ୍ତ ଭାରତ ଉପମହାଦ୍ୱୀପରୁ
ପ୍ରାୟ୪୭ଟିସ୍ଥାନରୁ ଅଶୋକଙ୍କ ୧୫୦ଟି ଅଭିଲେଖ ଆବିଷ୍କୃତ ହୋଇଛି । ଏଗୁଡ଼ିକ ମଧ୍ୟରୁ
ସଂଖ୍ୟାଧିକ ଅଭିଲେଖର ଭାଷା ପାଲି* ଏବଂ ଲିପି ବ୍ରାହ୍ମୀ । ତେବେ ତୋଷାଳୀ (ଧଉଳି) ଓ
ସମାପା (ଜଉଗଡ଼)ରେ ଯେଉଁ ଅନୁଶାସନ ଖୋଦିତ ହୋଇଛି, ତାହା କେବଳ ବିଷୟବସ୍ତୁ
ଦୃଷ୍ଟିରୁ ନୁହଁ ବରଂ ଭାଷା ଓ ଲେଖକୀୟ ଶୈଳୀ ଦୃଷ୍ଟିରୁ ମଧ୍ୟ ଭିନ୍ନ ଓ ସ୍ୱତନ୍ତ୍ର । ସେଥିପାଇଁ
ଐତିହାସିକଗଣ କଳିଙ୍ଗରେ ସ୍ଥାପିତ ଅଶୋକଙ୍କର ଏହି ଅଭିଲେଖ ଦ୍ୱୟକୁ ‘ସ୍ୱତନ୍ତ୍ର କଳିଙ୍ଗ
ଅନୁଶାସନ’ ନାମରେ ନାମିତ କରିଛନ୍ତି । ଏହି ଅନୁଶାସନ ଦୁଇଟିରେ ବ୍ୟବହୃତ ଭାଷା,
କଳିଙ୍ଗ ଜନସାଧାରଣଙ୍କ ବୁଝିବାଭଳି ଭାଷାରେ ଲେଖାଯାଇଥିଲା । ଯାହାକୁ ଆମେ ଭରତଙ୍କ
ନାଟ୍ୟଶାସ୍ତ୍ରରେ ଉଡ୍ରବିଭାଷା ଭାବେ ବର୍ଣ୍ଣନା କରାଯାଇଥିବାର ଦେଖୁ । ଠିକ୍ ସେହି ଲିପି ଓ
ଭାଷାରେ ଆଉ ଏକ ବଳିଷ୍ଠ କୃତିତ୍ୱର ଧାରାବିବରଣୀ ଦେଖିବାକୁ ପାଉ ଖାରବେଳଙ୍କ
ହାତୀଗୁମ୍ଫା ଅଭିଲେଖରେ । ତେବେ ଏହି ଅଭିଲେଖକୁ ଅନୁଶୀଳନ କଲେ ଜଣାପଡ଼େ
ଏହା କେବଳ ରାଜାଜ୍ଞା କିମ୍ବା ବିଜୟବାର୍ତ୍ତା ନ ଥିଲା, ବରଂ ଏକ ସମୃଦ୍ଧଶାଳୀ ସଂସ୍କୃତିସମ୍ପନ୍ନ
ସ୍ୱାଭିମାନୀ ଜାତିର ମନଭିତରେ ଚାପି ରହିଥିବା କଳିଙ୍ଗଯୁଦ୍ଧ ଭଳି ଅପମାନଜନିତ ବ୍ୟଥାର
ଉପଶମପାଇଁ ଓଡ଼ିଆଜାତିର ଗୌରବପୂର୍ଣ୍ଣ ପ୍ରତ୍ୟେକ ମୁହୂର୍ତ୍ତ ଲିପିବଦ୍ଧ କରିବାର ଅଦମ୍ୟ
ପିପାସା, ଯାହା କଳିଙ୍ଗସମ୍ରାଟ ଖାରବେଳଙ୍କଦ୍ୱାରା ସମାହିତ ହୋଇଥିଲା ।
- ପାଲି ନାମକ କୌଣସି ଭାଷାର ନାମୋଲ୍ଲେଖ ପ୍ରାଚୀନ ଗ୍ରନ୍ଥମାନଙ୍କରେ ନାହିଁ । ମାତ୍ର
ଯେତେବେଳେ ଭାରତର ଏହି ପ୍ରାଚୀନ ଲିପିକୁ ପାଶ୍ଚାତ୍ୟ ପଣ୍ଡିତ ଜେମ୍ସ ପ୍ରିନ୍ସେପ୍
ପାଠକଲେ, ତାହାର ନାମକରଣ ପାଲି (ଚବକ୍ଷସ) ରଖିଲେ, ଯାହାକି ଓଡ଼ିଆ ‘ପଲ୍ଲୀ’ ଶବ୍ଦର
ଇଂରାଜୀ ଉଚ୍ଚାରଣ । ଏବେ ମଧ୍ୟ ଓଡ଼ିଶା ଗ୍ରାମାଞ୍ଚଳରେ ଓଡ଼ିଅାଭାଷାକୁ ପଲ୍ଲୀଭାଷା କୁହାଯାଏ,
ଯାହା ଶିକ୍ଷିତ ଓଡ଼ିଆଙ୍କ ତୁଣ୍ଡରେ ଗାଉଁଲୀ ଭାଷା ଭାବେ ପରିଚିତ । ଏହି ପଲ୍ଲୀଭାଷା ସ୍ଥାନ
ବିଶେଷରେ ଭିନ୍ନଭିନ୍ନ ରୂପ ଗ୍ରହଣ କରିଛି । ଏହି ଦୃଷ୍ଟିକୋଣରୁ ମଗଧ, କଳିଙ୍ଗ, ଦ୍ରାବିଡ଼
ଅଞ୍ଚଳ ପଶ୍ଚିମ ଭାରତରେ ଏହାର ଲିପି ଓ ଶବ୍ଦାର୍ଥରେ ଭିନତ୍ନା ଦେଖାଯାଏ ।
ଏହି ଦୁଇ ଶିଳାଲେଖର ଲିପି ବ୍ରାହ୍ମୀ ଓ ଭାଷା ପାଲି ବୋଲି ଐତିହାସିକଗଣ ମତ