Page:Bhasa o Jatiyata.pdf/17

From Wikisource
Jump to navigation Jump to search
This page has not been proofread.


ଆଜିର ବୈଶ୍ୱିକରଣ ଦୁନିଆରେ ଆମପାଇଁ ସବୁ ଭାଷାର ଗୁରୁତ୍ୱ ରହିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଂରେଜ ଉପନିବେଶ ଶାସନର ଲୋପ ହେବା ଯୋଗୁଁ ଇଂରାଜୀଭାଷା ବିଶ୍ୱଭାଷାର ପରିଚୟ ହରାଇ ବର୍ତ୍ତମାନ କେବଳ ୧୧ଟି ରାଷ୍ଟ୍ରର ଭାଷା ଭାବେ ସୀମାବଦ୍ଧ । ଓଡ଼ିଶାର ଉଚ୍ଚଶିକ୍ଷିତ ବ୍ୟକ୍ତିଗଣ ନିଜର ଏହି ଅଜ୍ଞତାକୁ ଘୋଡ଼ାଇବାକୁ ଯାଇ ଇଂରାଜୀକୁ ବିଶ୍ୱଭାଷାର ଆଖ୍ୟା ଦେବାସହ ଏହାକୁ ଶିଖିଲେ ଆମ ପିଲାମାନଙ୍କୁ ଚାକିରି ସବୁଠି ମିଳିବବୋଲି ମିଛଧାରଣା ସୃଷ୍ଟିକରି ମାତୃଭାଷା ଶିକ୍ଷାଠାରୁ ଦୂରେଇ ଦେଉଛନ୍ତି । ବିଦେଶୀଭାଷା ଶିକ୍ଷା କରାଇ ଏମାନେ କେବଳ ଆମ ଜାତୀୟତାକୁ ହତ୍ୟା କରୁନାହାନ୍ତି ବରଂ ଶୋଷଣର ଜାଲକୁ ଆହୁରି ଦୃଢ଼ କରିବାରେ ଲାଗିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ସତ୍ୟକୁ ଆମ ଶିକ୍ଷିତଗଣ ଜାଣି ମଧ୍ୟ ନ ଜାଣିଲାପରି ଅଭିନୟ କରିବାରେ ଲାଗିଛନ୍ତି ଓ ନିଜ ପିଲାମାନଙ୍କୁ ଏହି ଭୁଲ୍ ପଥର ପଥିକ ସଜାଇ ସେମାନଙ୍କ ମୌଳିକ ସୃଜନଶକ୍ତିକୁ ହତ୍ୟା କରି ଚାଲିଛନ୍ତି । ଏହି ମୁଷ୍ଟିମେୟଙ୍କ ପଦ ଅନୁସରଣ କରିଚାଲିଛନ୍ତି ଅଗଣିତ ସାଧାରଣ ଶ୍ରେଣୀ ବିନା ପ୍ରଶ୍ନରେ, ଅଯଥା ଆନୁଗତ୍ୟରେ । ଏପରି କ୍ଷେତ୍ରରେ ଜାତୀୟତାଭାବ ସୃଷ୍ଟିଦ୍ୱାରା ଜାତିବିକାଶରେ ପ୍ରମୁଖ ଭୂମିକା ନେଉଥିବା ମାତୃଭାଷାକୁ ଯେଉଁଜାତି ଅବହେଳା କରୁଛି ସେ ଜାତି କେବେ ମଧ୍ୟ ଉନ୍ନତି କରିପାରିବ ନାହିଁ । ଯାହାର ସର୍ବକ୍ରୃଷ୍ଟ ପ୍ରମାଣ ଆମ ଓଡ଼ିଶା ରାଜ୍ୟ ଓ ଓଡ଼ିଆ ଜାତି ।