ଜାତିର ବିକାଶରେ ଭାଷାର ଭୂମିକା
ମାନବସଭ୍ୟତାରେ ଏକ ଉନ୍ନତ ଜାତିର ପରିଚୟ ହେଉଛି ସେହି ଜାତିର ଅଧିବାସୀଙ୍କ
ମୁଖରେ ଉଚ୍ଚାରିତ ହେଉଥିବା ଭାଷା । ଆମେ ସେହି ଜାତିକୁ ସେତେ ଉନ୍ନତ ବୋଲି
କହିବା, ଯେଉଁ ଜାତିର ଭାଷା ସମାଜର ସବୁ ପ୍ରକାର ଆବଶ୍ୟକତା ପୂରଣ କରିବାରେ
ସାହାଯ୍ୟ କରିଥାଏ । ଭାଷା ମଧ୍ୟ ମଣିଷ ଭଳି ଗତିଶୀଳ, ଚଳଚଞ୍ଚଳ । ପ୍ରବାହମାନ ନଦୀଧାରା
ଭଳି ସ୍ୱଚ୍ଛ, ମନୋହର ଓ ଲାଳିତ୍ୟପୂର୍ଣ୍ଣ । ପୁଣି ଭାଷାକୁ ଜୀବିତ ରଖେ ଏହାର ବ୍ୟବହାରିକ
ଦିଗ । ଅର୍ଥାତ୍ ଗୋଟିଏ ଭାଷାକୁ ଯେତେ ବ୍ୟବହାର କରାଯିବ ସେ ଭାଷା ସେତେ ସ୍ୱଚ୍ଛ,
ସତେଜ ଓ ଦୀର୍ଘଜୀବୀ ହୋଇ ରହିବ ।
କେବଳ ଉଚ୍ଚାରଣ ନୁହଁ, ଆଚରଣରେ ମଧ୍ୟ ଭାଷା ବଞ୍ଚିଥାଏ । ମଣିଷ ସମାଜର
ଦୈନନ୍ଦିନ ଆବଶ୍ୟକତା, ଯଥା-ବିଜ୍ଞାନ, କାରିଗରୀ, ଚିକିତ୍ସା, ନ୍ୟାୟ, ପ୍ରଶାସନକ୍ଷେତ୍ର ହିଁ
ଏହି ଆଚରଣର ଗୋଟିଏଗୋଟିଏ ବିନ୍ଦୁ । ଯଦି ଆଚରଣରେ ଭାଷାର ପ୍ରୟୋଗ ନ ରହେ,
ତେବେ ସେ ଭାଷା ଯେତେ ଉନ୍ନତ ହୋଇଥିଲେ ମଧ୍ୟ ତାହାର ମୃତ୍ର୍ୟୁ ଅବଶ୍ୟାମ୍ଭାବୀ । ପୁଣି
ଯଦି ଗୋଟିଏ ଭାଷାଭାଷୀଙ୍କ ମଧ୍ୟରେ ସ୍ୱାଭିମାନର ବୀଜ ଅଙ୍କୁରିତ ହୋଇଉଠେ, ତେବେ
ସେ ଭାଷା ମୃତ ହୋଇ ମଧ୍ୟ ପୁନଃ ଜାଗରିତ ହୋଇ ଉଠିବ । ଦୃଷ୍ଟାନ୍ତରୂପେ ବିଶ୍ୱର ଦୁଇ
ପ୍ରାଚୀନଭାଷା- ସଂସ୍କୃତ ଓ ହିବ୍ରୁକୁ ନେଇପାରିବା । ବୈଦିକକାଳରୁ ଆରମ୍ଭ ହୋଇଥିବା
ସଂସ୍କୃତଭାଷା ପ୍ରଥମ ଶତାବ୍ଦୀ ବେଳକୁ କୁଶାଣ ଶାସନ କାଳରେ ବୌଦ୍ଧଧର୍ମର ପ୍ରଚାର ଓ
ପ୍ରସାରର ଭାଷା ଭାବରେ ଗୃହୀତ ହେଲା । ମାତ୍ର ଚତୁର୍ଥ ଶତାବ୍ଦୀ ବେଳକୁ ଗୁପ୍ତବଂଶୀ
ଶାସକଙ୍କ ପ୍ରୋତ୍ସାହନରେ ଏହାର ସାଂସ୍କୃତିକ ବିକାଶ ଘଟି ଚିକିତ୍ସା, ବିଜ୍ଞାନ, ଗଣିତ,
ଭୁଗୋଳ, ସାହିତ୍ୟ, ସଂସ୍କୃତି, କାରିଗରୀ ବିଦ୍ୟା, ନ୍ୟାୟ, ପ୍ରଶାସନରେ ବହୁଳ ବ୍ୟବହାର
ଘଟିଥିଲା । ପରବର୍ତ୍ତୀ କାଳରେ ଶାସନଗତ ବିଶୃଙ୍ଖଳାର ସୁଯୋଗ ନେଇ ବିଦେଶୀଙ୍କଦ୍ୱାରା
ଦୀର୍ଘଦିନ ଧରି ଭାରତ ଶାସିତ ହେଲା । ଶାସନ କ୍ଷେତ୍ରରେ ପାର୍ଶୀ ଓ ଇଂରାଜୀ ଭାଷାର
ବିପୁଳ ବ୍ୟବହାର ଆଜି ସଂସ୍କୃତଭାଷାର ଅସ୍ତିତ୍ୱକୁ ସଂକଟାପନ୍ନ ଅବସ୍ଥାରେ ପକାଇଛି ।
ଠିକ୍ ସେହିପରି ହିବ୍ରୁ ଭାଷା । ପ୍ରାଚୀନ ବାଇବେଲ ଲେଖାଯାଇଥିବା ଏହିଭାଷା