This page has been proofread.
ତାଙ୍କର ସହାନୁଭୂତି,ଓଡିଆ ରାଜାଙ୍କ ପ୍ରତି ତାଙ୍କ ଭକ୍ତିଭାବ ଜଣାପଡେ। ଫିରିଙ୍ଗି ଶାସନରେ ସୁଖୀ ଖୋର୍ଦ୍ଧା ମୁଲକ କିପରି ଦୁଃଖୀ ହୋଇଛି,ପ୍ରଜାମାନେ କିପରି ତିନିଗୁଣ ଅଧିକ କର ଦେଉଛନ୍ତି,ଆଉ ଲୁଣ ପାଞ୍ଚଗୁଣ ଅଧିକ ଦରରେ କିଣୁଛନ୍ତି ସେଥିପାଇଁ ସେ ଚିଠିରେ ଦୁଃଖ ପ୍ରକାଶ କରିଥିଲେ। ଲକ୍ଷ ଲକ୍ଷ ଲୋକ ଏଥିପାଇଁ ବଣ ଜଙ୍ଗଲକୁ ପଳାଇଛନ୍ତି ବା ଦାଣ୍ଡର ଭିକାରୀ ହୋଇଛନ୍ତି ଆଉ ସେମାନଙ୍କର ନେତା ଭାବରେ ସେ ଆଜି ବନବାସୀ ହୋଇଛନ୍ତି ବୋଲି ଏଥିରେ ଲେଖିଥିଲେ।
୧୮୨୦ରେ ଇଂରେଜ ସରକାର ଜଗବନ୍ଧୁଙ୍କ ପରିବାରକୁ ଛାଡି ଦେଇଥିଲେ। ଶେଷରେ ଜଗବନ୍ଧୁଙ୍କୁ ବନ୍ଦୀ କରିବାର ସବୁ ଚେଷ୍ଟା ବିଫଳ ହେବାରୁ ଇଂରେଜ ସରକାର ତିନିଗୋଟି ସର୍ତ୍ତରେ କ୍ଷମା ଦେବେ ବୋଲି ଜଣାଇ ଦେଲେ। ସେଥିରୁ ଗୋଟିଏ ହେଲା,ଜଗବନ୍ଧୁ ବଂଶ ପରମ୍ପରାଗତ ଅଧିକାରକୁ ଛାଡିବେ,ଦ୍ୱିତୀୟରେ କଟକ ବା ତା'ର ଆଖ ପାଖ ଅଞ୍ଚଳରେ ରହିବେ ଆଉ ମାଜିଷ୍ଟ୍ରେଟଙ୍କ ବିନା