ଓଡ଼ିଆ ଭାଗବତ/୧୧

From Wikisource
Jump to navigation Jump to search

ଏକାଦଶ ସ୍କନ୍ଧ[edit]

ପ୍ରଥମ ଅଧ୍ୟାୟ[edit]

ନମଇଁ ନୃସିଂହ ଚରଣ । ଅନାଦି ପରମ କାରଣ । । ୧
ନୀଳଜୀମୂତ କଳେବର । ଦେବମାନବେ ଅଗୋଚର । । ୨
ମାୟା ସଂସାରେ ଯାର ଖେଳା । ଯା' ନାମ ଭବଜଳେ ଭେଳା । । ୩
କରୁଣା କଟାକ୍ଷ ପ୍ରକାଶେ । ଭକତଜନ ଦୁଃଖ ନାଶେ । । ୪
ସେ ପାଦେ ଶରଣ ମୋହର । ହେଳେ ତରିବି ତମଘୋର । । ୫
ସେ ହରି ଚରିତ ପ୍ରକାଶ । ମୁକ୍ତି ଲକ୍ଷଣ ଏକାଦଶ । । ୬
ଏ ଭାଗବତ ଧର୍ମ କଥା । ହେଳେ ଖଣ୍ଡଇ ଭବବ୍ୟଥା । । ୭
ନାରଦ ବସୁଦେବ ବାଣୀ । ନିମି ରାଜନେ ନବମୁନି । । ୮
ଉଦ୍ଧବ ନିସ୍ତାରଣ ବାଣୀ । ଯାହା କହିଲେ ଚକ୍ରପାଣି । । ୯
ସେ କଥା ପ୍ରାକୃତେ ପ୍ରକାଶ । ଆରମ୍ଭେ ଜଗନ୍ନାଥ ଦାସ । । ୧ ୦
ବ୍ୟାସନନ୍ଦନ ମୁଖୁଁ ଶୁଣି । ନିର୍ମଳ ଭାଗବତ ବାଣୀ । । ୧ ୧
ସାଧୁସଙ୍ଗମେ ଗଙ୍ଗାତୀରେ । ଶୁକ ଚରଣ ଧରି କରେ । । ୧ ୨
ଆନନ୍ଦେ କରି ଅଶ୍ରୁପାତ । । ବୋଇଲେ ଅଭିମନୁ୍ୟ ସୁତ । । ୧ ୩

ପରିକ୍ଷିତ ଉବାଚ

ଭୋ ମୁନି ନମେ ତୋ' ପୟରେ । ମୋତେ ଉଦ୍ଧର ଏ ସଂସାରେ । । ୧ ୪
କହ ଶ୍ରୀକୃଷ୍ଣ ଗୁଣମାନ । ପୁଣି କି କଲେ ଭଗବାନ । । ୧ ୫

ଶୁକ ଉବାଚ

କହନ୍ତି ବ୍ୟାସଙ୍କ ତନୁଜ । ଶୁଣ ପରୀକ୍ଷ ମହାରାଜ । । ୧ ୬
ଦେବଙ୍କ ବ୍ୟାକୁଳେ ମୁରାରି । ଅବନୀ ତଳେ ଅବତରି । । ୧ ୭
ଅଂଶେ ମନୁ୍ୟଷରୂପ ଧରି । ଯାଦବ ତୁଲେ ରାମହରି । । ୧ ୮
ଦୁଷ୍ଟ ଦନୁଜଗଣ ମାରି । ଅବନୀଭାରା ହେଳେ ହରି । । ୧ ୯
କୁରୁ ପାଣ୍ଡବ ମଧ୍ୟେ ହରି । ମାୟା କନ୍ଦଳେ ଭେଦ କରି । । ୨ ୦
କପଟ ପଶା ବନବାସ । ଆକର୍ଷି ଦ୍ରୌପଦୀର କେଶ । । ୨ ୧
ଭୀମକୁ ବିଷଲଡୁ ଦେଇ । ଜତୁର ଘରେ ଅଗ୍ନି ଦାହି । । ୨ ୨
ଏ ଆଦି ଯେତେ କଷ୍ଟମାନ । ପାଣ୍ଡବେ ଦେଲା ଦୁର୍ଯେ୍ୟାଧନ । । ୨ ୩
ସେ ଅପମାନେ କ୍ରୋଧ ବହି । ସଙ୍ଗତେ ଘେନି ପାଞ୍ଚଭାଇ । । ୨ ୪
ନିମିତ୍ତ କରି ତା'ଙ୍କୁ ହରି । ଅନେକ ଅକ୍ଷୌହିଣ ମାରି । । ୨ ୫
ଭାରା ନିବାରି ଭଗବାନ । ଅନ୍ତେ ଚଳିଲେ ନିଜ ସ୍ଥାନ । । ୨ ୬
ଯାଦବେ କୃଷ୍ଣ ଭୁଜବଳେ । ଅଜେୟ ଏ ମହୀମଣ୍ଡଳେ । । ୨ ୭
ତାହାଙ୍କୁ ସଙ୍ଗେ ଘେନି କରି । ଦୁଷ୍ଟରାଜାଙ୍କ ପ୍ରାଣ ହରି । । ୨ ୮
ମନରେ କରନ୍ତି ବିଚାର । ଯାବତ ଛନ୍ତି ଯଦୁବୀର । । ୨ ୯
ତାବତ ପୃଥିବୀର ଭାର । ଉଶ୍ୱାସ କାହିଁ ଅଛି ଆର । । ୩ ୦
ଦେବତା ଆଦି ନାଗ ନର । ଏଣେ ଏ ନୁହଁନ୍ତି ସଂହାର । । ୩ ୧
ମୋର ବିଭବ ମୋର ହସ୍ତେ । ନାଶିବା ନୁହଇ ଉଚିତେ । । ୩ ୨
କଳି ଭିଆଇ ନିଜବଂଶେ । ସଂହାରି ବିଶ୍ରମିବି ଶେଷେ । । ୩ ୩
ବନୁ ଅନଳ ଜାତ ହୋଇ । ଯେହ୍ନେ ଲିଭଇ ବନ ଦହି । । ୩ ୪
ଶୁଣ ରାଜନ ପରିକ୍ଷିତ । ଏମନ୍ତ ବିଚାରି ଅଚୁ୍ୟତ । । ୩ ୫
ନିମିତ୍ତ ବିପ୍ରଶାପ କରି । କନ୍ଦଳେ ନିଜବଂଶ ମାରି । । ୩ ୬
ଲାବଣ୍ୟରୂପେ ଜନ ମୋହି । ପ୍ରାଣୀ ନୟନେ ସୁଖ ଦେଇ । । ୩ ୭
ସେ ରୂପ କରି ଅନ୍ତର୍ଦ୍ଧାନ । ହରିଲେ ପ୍ରାଣୀଙ୍କର ମନ । । ୩ ୮
କୃଷ୍ଣ କୋମଳ ମଞ୍ଜୁବାଣୀ । ଯେ ଅବା କର୍ଣ୍ଣେ ଥିଲେ ଶୁଣି । । ୩ ୯
ତେଣେ ତାହାଙ୍କ ମନ ହରି । ଅନ୍ତର ହୋଇଲେ ମୁରାରି । । ୪ ୦
କୃଷ୍ଣର ପାଦପଦ୍ମ ଚିହ୍ନ । ସୁନ୍ଦର ମନ୍ଥର ଗମନ । । ୪ ୧
ସେ ପାଦପଦ୍ମେ ଦେଇ ମନ । ଯେ ଅବା ଦେଖିଥିଲେ ଜନ । । ୪ ୨
ସେ ରୂପେ ତା'ଙ୍କ ମନ ହରି । ନିଜ ଭୁବନେ ବିଜେ କରି । । ୪ ୩
କୃଷ୍ଣର ଯଶ ଗୁଣ ଯେତେ । ସଂସାରେ ଶୁଣି ଗୁଣି ଚିତ୍ତେ । । ୪ ୪
ପ୍ରାଣୀ ହୋଇବେ ଭବୁ ପାର । ଏମନ୍ତ ମହିମା ଯାହାର । । ୪ ୫
ସେ ରୂପ କଲେ ଅନ୍ତର୍ଦ୍ଧାନ । ହରି ଚଳିଲେ ନିଜ ସ୍ଥାନ । । ୪ ୬
ଶୁକ ଚରଣତଳେ ପଡି । କହେ ପରୀକ୍ଷ କରଯୋଡି । । ୪୭

ପରୀକ୍ଷିତ ଉବାଚ

ଅଖଣ୍ଡ ନିଜବଂଶ କୋପେ । କିମ୍ବା ହରିଲେ ବିପ୍ରଶାପେ । । ୪୮
ଯେ ଯଦୁବଂଶ ମହୀତଳେ । କ୍ଷୟ ନୁହଁନ୍ତି ରିପୁବଳେ । । ୪ ୯
ଯାହାର ସ୍ନେହ ଅନୁବନ୍ଧେ । ଈଶ୍ୱର ଖେଳଇ ଆନନ୍ଦେ । । ୫ ୦
ଯାଦବେ ବିପ୍ର ଗୁରୁପାଦେ । ସେବନ୍ତି ବେଦବିଧି ବାଦେ । । ୫ ୧
ସେ ବ୍ରହ୍ମଶାପ ନରହରି । ହେଳେ ପାରଇ ଆନ କରି । । ୫ ୨
ସର୍ବ ସମ୍ପଦ ନିଜପୁରୀ । ମାୟାର ବଳେ ଭେଦ କରି । । ୫ ୩
କିମ୍ପା ଗୋବିନ୍ଦ ସଂହାରିଲେ । ନିଜ ଭୁବନେ ବିଜେ କଲେ । । ୫୪
ଯାଦବେ ଏକଆତ୍ମା ହୋଇ । କିପାଁ କନ୍ଦଳ କଲେ ସେହି । । ୫ ୫
କି ଶାପ କି ଅବା କାରଣ । ଏ ସର୍ବ ମୋହର ପ୍ରଶନ । । ୫ ୬
ଭୋ ମୁନି କହ ତୋଷମନେ । ଏମନ୍ତ ରାଜାର ବଚନେ । । ୫ ୭

ଶୁକ ଉବାଚ

ବୋଲନ୍ତି ବ୍ୟାସମୁନି ସୁତ । ଶୁଣ ହୋ କୃଷ୍ଣର ଚରିତ । । ୫ ୮
ଜନମୋହନ ମାୟାଧର । ପ୍ରକାଶି ନର କଳେବର । । ୫ ୯
ନାନା ବିଚିତ୍ରକର୍ମ କରି । କନ୍ଦଳେ ନିଜବଂଶ ମାରି । । ୬ ୦
କାହାର ସାଧ୍ୟ ଏ ବେଭାର । ଶୁଣ ସୁମନେ ନୃପବର । । ୬ ୧
କଳି କଳୁଷ ନିବାରଣ । ସଂସାରେ ସ୍ଥାପି ଯଶଗୁଣ । । ୬ ୨
ଏବେ ଗୋବିନ୍ଦ କଲେ ଯେତେ । କହିବା ଶୁଣ ଏକଚିତ୍ତେ । । ୬ ୩
ଯାଦବବଂଶ ନାଶ ଅର୍ଥେ । ଗୋବିନ୍ଦ ବିଚାରିଲେ ଚିତ୍ତେ । । ୬ ୪
ବିପ୍ରେ ଯେ ଥିଲେ ନିଜ ଦେଶେ । କୃଷ୍ଣର ଦରଶନ ଆଶେ । । ୬ ୫
ବିଶ୍ୱାମିତ୍ରଙ୍କୁ ଆଗ କରି । ଅସିତ କଣ୍ୱ ବ୍ରହ୍ମଚାରୀ । । ୬ ୬
ବଶିଷ୍ଠ ନାରଦ ବିଶେଷି । ଭୃଗୁ ଅଙ୍ଗିରା ଅତ୍ରିଋଷି । । ୬ ୭
ଦୁର୍ବାସା କଶ୍ୟପଙ୍କୁ ଘେନି । ଶ୍ରୀବାମଦେବ ମହାମୁନି । । ୬ ୮
ଶ୍ରମେ ଚାଲନ୍ତି ବନପଥେ । ମିଳିଲେ ପିଣ୍ଡାରକ ତୀର୍ଥେ । । ୬ ୯
ଏଣେ ଯେ କୃଷ୍ଣର କୁମରେ । ଆନନ୍ଦେ ସମୁଦ୍ରର ତୀରେ । । ୭ ୦
ସକଳେ ଏକସ୍ଥାନେ ମିଳି । ରଙ୍ଗେ କରନ୍ତି ନାନାକେଳି । । ୭ ୧
ଶାମ୍ବକୁ ନାରୀବେଶ କରି । ଅନେକ ଅଳଙ୍କାର ଭରି । । ୭ ୨
ପ୍ରସବ ଗର୍ଭ ପ୍ରାୟ କରି । ଉଦରେ ଲୌହପାତ୍ର ଭରି । । ୭୩
ଚାଲଇ ଚରଣ ମନ୍ଥରେ । ଶ୍ରମେ ଘୂମିତ କଳେବରେ । । ୭ ୪
ମୁନିଙ୍କି ଦେଖି ଲଜ୍ଜା ପାଇ । ଅନ୍ତରେ ଅଧୋମୁଖ ହୋଇ । । ୭ ୫
ରହିଲା ଲତା ଅଭ୍ୟନ୍ତରେ । ଏମନ୍ତେ କୃଷ୍ଣର କୁମରେ । । ୭ ୬
ମୁନିଙ୍କ ପାଶେ ଯାଇ ଧୀରେ । କର ଅଞ୍ଜଳି ଦେଇ ଶିରେ । । ୭ ୭
କୋମଳ ମଧୁର ବଚନେ । ବୋଲନ୍ତି ଶୁଣ ବିପ୍ରଜନେ । । ୭୮
ଯାଦବ କୁଳବଧୂ ଏହି । ଅନେକ ଦିନୁ ଗର୍ଭ ବହି । । ୭ ୯
ପ୍ରସବ ନୋହେ କି କାରଣେ । ପୁଛିଲୁ ତୁମ୍ଭର ଚରଣେ । । ୮ ୦
ଚଳି ନ ପାରେ ଶ୍ରମଭାଗେ । ଲାଜେ ନ କହେ ତୁମ୍ଭ ଆଗେ । । ୮ ୧
ତୁମ୍ଭେ ସର୍ବଜ୍ଞ ମୁନିବର । କି ଅଛି ଗର୍ଭରେ ଏହାର । । ୮ ୨
ପୁତ୍ର ଦୁହିତା କିବା ଜାତ । ମାୟା ନ କରି କହ ସତ । । ୮ ୩
ଶୁଣି ସେ କପଟ ବଚନ । କୋପେ ବୋଲନ୍ତି ମୁନିଜନ । । ୮ ୪
ଏ ନାରୀ ଗର୍ଭବାସ ବାଣୀ । ଆମ୍ଭେ ଜାଣିଲୁ ପରିମାଣି । । ୮୫
ଏହାର ଗର୍ଭ ହେବ କାଳ । ନିଷ୍ଠୁର ଲୌହର ମୂଷଳ । । ୮ ୬
ଆଜ ଏ ଗର୍ଭ ପ୍ରସବିବ । ତୁମ୍ଭର ବଂଶ ବିନାଶିବ । । ୮ ୭
କୁଳ ସମୂଳେ କରି ନାଶ । ଭୂମିରେ ଯେତେ ଯଦୁବଂଶ । । ୮ ୮
ଏମନ୍ତ କହି ଗଲେ ମୁନି । କୃଷ୍ଣ କୁମରେ ତାହା ଶୁଣି । । ୮୯
ବଜ୍ର ପଡ଼ିଲା ଯେହ୍ନେ ମୁଣ୍ଡେ । ଶାମ୍ବକୁ ଘେନି ରାଜଦାଣ୍ଡେ । । ୯ ୦
ତକ୍ଷଣେ ଲୌହପାତ୍ର ଫେଇ । ପେଟ ଖୋଜନ୍ତି ହସ୍ତ ଦେଇ । । ୯ ୧
କର୍କଶ ପିଙ୍ଗଳ ପିଚ୍ଛିଳ । ଦେଖିଲେ ଲୌହର ମୂଷଳ । । ୯ ୨
ଗର୍ଭୁ ପଡ଼ିଲା ବଜ୍ର ପ୍ରାୟେ । ଦେଖି କମ୍ପିଲେ କୃଷ୍ଣପୋଏ । । ୯ ୩
ଲୌହମୂଷଳ ତେଜଭରେ । ଚକ୍ଷୁ ବୁଜିଲେ ବେନିକରେ । । ୯ ୪
ବୋଲନ୍ତି କଲୁ ମନ୍ଦକର୍ମ । କିବା ବୋଲିବେ କୃଷ୍ଣରାମ । । ୯ ୫
ଏମନ୍ତେ ଶ୍ରୀକୃଷ୍ଣର ସୁତେ । ଲୌହମୂଷକ ଘେନି ହସ୍ତେ । । ୯୬
ଉଗ୍ରସେନର ସଭାତଳେ । ମିଳିଲେ ହୃଦୟ ବ୍ୟାକୁଳେ । । ୯ ୭
ଲୌହମୂଷଳ ତଳେ ଥୋଇ । ବୋଲନ୍ତି ସଭାମୁଖ ଚାହିଁ । । ୯ ୮
ଆମ୍ଭେ ଯେ କ୍ରୀଡ଼ା କଉତୁକେ । ଖେଳନ୍ତେ ତୀର୍ଥ ପିଣ୍ଡାରକେ । । ୯ ୯
ଶାମ୍ବକୁ ନାରୀବେଶ କରି । ଉଦରେ ଲୌହପାତ୍ର ଭରି । । ୧୦୦
ମୁନିଙ୍କି ପଚାରିଲୁ ଭାବେ । ଏ ଗର୍ଭ ପ୍ରସବ ପ୍ରସ୍ତାବେ । । ୧୦୧
ଶୁଣି କୋପିଲେ ମୁନିଜନେ । ବନ-ଗହନ-ପଥ ଶ୍ରମେ । । ୧୦୨
ବୋଇଲେ ଗର୍ଭେ ଅଛି କାଳ । ନିଷ୍ଠୁର ଲୌହର ମୂଷଳ । । ୧୦୩
ଭୂମିରେ ଯଦୁବଂଶ ଯେତେ । ଏ ଲୌହେ ମରିବେ ସମସ୍ତେ । । ୧୦୪
ନିର୍ମୂଳ କରି ଯଦୁକୁଳ । ଏ ଜାତ ଲୌହର ମୂଷଳ । । ୧୦୫
ତକ୍ଷଣେ ଗର୍ଭ ଫେଇ ଦେଖି । ଭୟେ ବୁଜିଲୁ ବେନିଆଖି । । ୧୦୬
ଏମନ୍ତେ କହି ସଭାମଧ୍ୟେ । କୁମରେ ବସିଲେ ବିଷାଦେ । । ୧୦୭
ଶୁଣି ସକଳ ଗୁରୁଜନେ । କହଇ ଦୁଃଖଦ ବଦନେ । । ୧୦୮
ନିଷ୍ଠୁର ବ୍ରହ୍ମ କୋପାନଳ । ଦହଇ ଭୂବନମଣ୍ଡଳ । । ୧୦୯
ଅନ୍ୟଥା କେ ତାହା କରିବ । ବ୍ରହ୍ମାଶଙ୍କର ବାସୁଦେବ । । ୧୧୦
ଶୁଣି ବିଷାଦ ସଭାଜନ । ବଦନୁ ନ ସ୍ପୁରେ ବଚନ । । ୧୧୧
ତା' ଦେଖି ରାଜା ଉଗ୍ରସେନ । ଭୃତ୍ୟଙ୍କୁ ବୋଲନ୍ତି ବଚନ । । ୧୧୨
ଏ ଲୌହ ଗିରିଶିଖେ ନେଇ । ଘଷ ସମୁଦ୍ରଜଳ ଦେଇ । । ୧୧୩
ନିଃଶେଷ କରି ଲୌହ ଘଷ । ଯେମନ୍ତେ ନ ରହଇ ଶେଷ । । ୧୧୪
ତକ୍ଷଣେ ରାଜା ଆଜ୍ଞା ପାଇ । ମୂଷଳ ଘେନି ବେଗେ ଯାଇ । । ୧୧୫
ପର୍ବତେ ସମୁଦ୍ରର ଜଳେ । ଲୌହ ଘଷିଲେ ଭୁଜବଳେ । । ୧୧୬
ଘଷନ୍ତେ ଲୌହଚୂର୍ଣ୍ଣ ଶିଳେ । ପଡ଼ଇ ସମୁଦ୍ର ଉଲ୍ଲୋଳେ । । ୧୧୭
ଅନେକ ଦିନ ଘଷି ରୋଷେ । ଅଳପ ରହେ ଅବଶେଷେ । । ୧୧୮
ଅଙ୍ଗୁଳି ଛିଡ଼ି ଘରଷଣେ । ନିଷ୍ଠୁରେ ନିଃଶେଷ କରଣେ । । ୧୧୯
ନ ପାରି ପକାଇଲେ ଜଳେ । ଘୋର ଗଭୀର ମୀନମେଳେ । । ୧୨୦
ଲୌହ ପଡ଼ନ୍ତେ ଘୋର ପାଣି । ଆହାର ପ୍ରାୟ ତାହା ମଣି । । ୧୨୧
ମୀନ ଗିଳିଲା ଅତି ବେଗେ । ସେ ମୀନ ମତ୍ସ୍ୟଗଣ ସଙ୍ଗେ । । ୧୨୨
ଚରନ୍ତେ ସମୁଦ୍ରର ଜଳେ । ଜାଲେ ପଡ଼ିଲା ରାତ୍ରକାଳେ । । ୧୨୩
ଧୀବରେ ମୀନ ନେଇ ଏକା । ଜାରାଶବରେ ଦେଲା ଦେଖା । । ୧୨୪
ମୀନ କାଟନ୍ତେ ତା'ର ଘରେ । ଲୌହ ଦେଖିଲା ତା' ଉଦରେ । । ୧୨୫
କର୍କଶ ପିଙ୍ଗଳ ପ୍ରଚଣ୍ଡ । ଜଳଇ ଯେହ୍ନେ ମାରତଣ୍ଡ । । ୧୨୬
ଦେଖି ଶବର ତୋଷ ହୋଇ । ନାରାଚଫଳ କଲା ନେଇ । । ୧୨୭
ବାଣର ମୁନେ ତୀକ୍ଷ୍ଣଫଳ । ତେଜେ କି ଗଞ୍ଜଇ ଅନଳ । । ୧୨୮
ଯେ ଲୌହଚୂର୍ଣ୍ଣ ପଡ଼ିଜଳେ । ଭାସିଲା ସମୁଦ୍ର ଉଲ୍ଲୋଳେ । । ୧୨୯
ତୀରେ ଲାଗନ୍ତେ ଲୌହଚୂର୍ଣ୍ଣ । ଜନ୍ମିଲା ଏରକାର ବନ । । ୧୩୦
ତୀକ୍ଷ୍ଣ ତ୍ରିଶିର ସେ ସ୍ୱଭାବେ । ଯେଣେ ଯାଦବେ ନାଶଯିବେ । । ୧୩୧
ସେ କାଳରୂପୀ ଭଗବାନ । ଜାଣଇଁ ସକଳ ବିଧାନ । । ୧୩୨
ଖେଳଇ ମାୟାମୟ କଳ୍ପେ । ସେ ପ୍ରଭୁ ଡ଼ରେ ବ୍ରହ୍ମଶାପେ । । ୧୩୩
କୁଳବିନାଶ ହେତୁ କରି । ଅବନୀଭାରା ହେଳେ ହରି । । ୧୩୪
ନିଜ ଭୁବନେ ଅବଧାନ । ନିର୍ଲେପ ପ୍ରଭୁ ଭଗବାନ । । ୧୩୫
ବୋଲଇ ଦାସ ଜଗନ୍ନାଥ । ଶ୍ରୀଏକାଦଶ ଭାଗବତ । । ୧୩୬
ଜାହ୍ନବୀତୀରେ ରାଜା ଆଗେ । ଶୁକ କହିଲେ ସାଧୁସଙ୍ଗେ । । ୧୩୭
ପୁରାଣ ଭାଗବତ ବାଣୀ । ସୁଜନେ ତର ଏହା ଶୁଣି । । ୧୩୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଏକାଦଶସ୍କନ୍ଧେ ପ୍ରଥମୋଧ୍ୟାୟଃ । ।

ଦ୍ୱିତୀୟ ଅଧ୍ୟାୟ[edit]

ଶୁକ ଉବାଚ

ଶୁଣ ପରିକ୍ଷ ମନସ୍ଥିରେ । ଅଦ୍ଭୂତ ଦ୍ୱାରକା ନଗରେ । । ୧
ଗୋବିନ୍ଦ ଭୂଜଦଣ୍ଡବଳେ । ଯାଦବେ ଥା'ନ୍ତି ସୁଖଭୋଳେ । । ୨
ଯହିଁ ନାରଦ ଥା'ନ୍ତି ନିତି । କୃଷ୍ଣଭକତି ହୃଦେ ଚିନ୍ତି । । ୩
ମର୍ତ୍ତେ୍ୟ ମନୁଷ୍ୟ ଦେହ ଧରି । କେ କୃଷ୍ଣଭାବ ପରିହରି । । ୪
ବାସବ ଆଦି ଦେବଗଣ । ଯା'କୁ ସେବନ୍ତି ଅନୁକ୍ଷଣ । । ୫
ଭବ ବିରଞ୍ଚି ଯା'ର ପାଦେ । ସେବନ୍ତି ନିତ୍ୟେ ଅପ୍ରମାଦେ । । ୬
ନାରଦମୁନି ଏକଦିନେ । ଗଲେ ବସୁଦେବ ଭୁବନେ । । ୭
ନାରଦ ଆଗମନ ଭାବ । ଦେଖି ମିଳିଲେ ବସୁଦେବ । । ୮
ପବିତ୍ର ଜଳେ ପାଦଧୋଇ । ଆସନେ ବସାଇଲେ ନେଇ । । ୯
ଚରଣେ କରି ନମସ୍କାର । ଭାବେ ବୋଇଲେ ଯଦୁବୀର । । ୧ ୦

ବସୁଦେବ ଉବାଚ

ଧନ୍ୟ ଜୀବନ ଆଜ ମୋର । ଦେଖିଲି ଚରଣ ତୁମ୍ଭର । । ୧୧
ତୁମ୍ଭେ ଯେ ଲୋକ-ପରିତ୍ରାଣେ । ବ୍ରହ୍ମାଣ୍ଡେ ବୁଲ ଅନୁକ୍ଷଣେ । । ୧ ୨
ପିତାମାତାଙ୍କ ଆଗମନ । ପୁତ୍ରଙ୍କୁ କଲ୍ୟାଣ ଯେସନ । । ୧ ୩
ବିଷ୍ଣୁ-ଭକତଜନ ଦେଖି । ନିର୍ମଳ ହୋଏ ଚର୍ମ ଆଖି । । ୧ ୪
ଜନ୍ତୁଙ୍କୁ ଦେବଙ୍କ ଚରିତ । ସାଧଇ ଦୁଃଖ ସୁଖ ଅର୍ଥ । । ୧ ୫
ତୁମ୍ଭର ପ୍ରାୟ ସାଧୁ ଯେତେ । କେବଳ ପ୍ରାଣୀ ସୁଖ ଅର୍ଥେ । । ୧ ୬
ସାଧବେ ବିଷ୍ଣୁଭାବେ ଥା'ନ୍ତି । ଏଣୁ ପ୍ରାଣୀଙ୍କ ହିତ ଚିନ୍ତି । । ୧ ୭
ଦେବଙ୍କ ଚରିତ ପ୍ରମାଦ । କରଇ ହରଷ ବିଷାଦ । । ୧ ୮
ମନୁଷ୍ୟେ ସୁଖଭୋଗ ଚିନ୍ତି । କେ ଅବା ଦେବଙ୍କୁ ପୂଜନ୍ତି । । ୧ ୯
ଦେବେ ତାହାଙ୍କ ଉପକାରେ । ଭଜନ୍ତି ଭକ୍ତି ଅନୁସାରେ । । ୨ ୦
ସ୍ୱଭାବେ ଦେବେ ଛାୟାବତ । ବସନ୍ତି କର୍ମର ଆୟତ୍ତ । । ୨ ୧
ତେଣୁ ସେ କର୍ମ ଅନୁସାରେ । ପ୍ରାଣୀଙ୍କି ତୋଷୁଥା'ନ୍ତି ବରେ । । ୨ ୨
ସେ କର୍ମଫଳ ଅନୁମତେ । ପ୍ରାଣୀ ଭୁଞ୍ଜନ୍ତି ଏ ଜଗତେ । । ୨ ୩
ବିଷ୍ଣୁ ଭକତ ପ୍ରାଣୀଙ୍କର । ଜଗତେ ନାହିଁ ଆତ୍ମାପର । । ୨ ୪
ଦୟା କରନ୍ତି ସର୍ବଲୋକେ । ଦିନ ହରନ୍ତି ଦୁଃଖସୁଖେ । । ୨ ୫
ଆଜ ମୁଁ ଦେଖି ତୁମ୍ଭପଦ । ଲଭିଲି ସକଳ ସମ୍ପଦ । । ୨ ୬
ତଥାପି ବୈଷ୍ଣବର ଧର୍ମ । ବିଷ୍ଣୁ ପ୍ରସନ୍ନେ ଯେତେ କର୍ମ । । ୨ ୭
ତାହା ଶୁଣିତେ ମୋର ଇଚ୍ଛା । ପୁଚ୍ଛଇ କହ ଧର୍ମଦୀକ୍ଷା । । ୨ ୮
ଯେ ଧର୍ମ କଥନ ଶ୍ରବଣ । ସକଳ ଭୟ ନିବାରଣ । । ୨ ୯
ପୂର୍ବେ ମୁଂ ତପଯୋଗବଳେ । ସେବିଲି ବିଷ୍ଣୁ ପାଦ ମୂଳେ । । ୩ ୦
ବିଷ୍ଣୁ ଯାଚିଲେ ମୋତେ ବର । ମୋର ଅଦୃଷ୍ଟ ବଳୀୟାର । । ୩ ୧
ମୋକ୍ଷ ନ ମାଗି ପୁତ୍ରକାମେ । ପଡ଼ିଲି ମାୟା ମୋହ ଭ୍ରମେ । । ୩ ୨
ଏବେ ଉପାୟ ତୁମ୍ଭେ କର । ଯେମନ୍ତେ ତୁଟେ ଭ୍ରମ ମୋର । । ୩ ୩
ବସୁଦେବର ବାକ୍ୟ ଶୁଣି । ମନଆନନ୍ଦେ ବ୍ରହ୍ମମୁନି । । ୩ ୪

ନାରଦ ଉବାଚ

ବୋଲନ୍ତି ଶୁଣ ଯଦୁବୀର । ଧନ୍ୟ ବଚନ ଏ ତୋହର । । ୩ ୫
ତୋ ଚିତ୍ତ ଭାଗବତଧର୍ମେ । କଳ୍ପିଲା ପୂର୍ବ ପୁଣ୍ୟକର୍ମେ । । ୩୬
ଶୁଣ ସେ ଧର୍ମର ମହିମା । କେ କହିପାରେ ଗୁଣ ସୀମା । । ୩ ୭
ଯେବେ ଶ୍ରବଣେ ଏହା ଶୁଣି । ମନ ବଚନେ ପରିମାଣି । । ୩ ୮
ଯଦ୍ୟପି ଦେବ-ବିଶ୍ୱଦ୍ରୋହୀ । ଅନ୍ୟ ପତିତ ଯେବେ ହୋଇ । । ୩ ୯
ସେ ଧର୍ମେ ଯେବେ ମନ ପଶେ । ସର୍ବ କଳୁଷ ବେଗେ ନାଶେ । । ୪ ୦
ଧନ୍ୟ ଯାଦବ ତୋ' ଜୀବନ । କୃଷ୍ଣରେ ନିବେଶିଲୁ ମନ । । ୪ ୧
କୃଷ୍ଣର ଶ୍ରବଣ କୀର୍ତ୍ତନ । ଅଶେଷ ଦୁରିତ ଦହନ । । ୪ ୨
କହିବା ଶୁଣ ସାବଧାନେ । ଯେ ଇତିହାସ ପୁରାତନେ । । ୪ ୩
ପୂର୍ବେ ଯେ ବିଦେହମଣ୍ଡଳେ । ନିମି ରାଜାର ଯଜ୍ଞକାଳେ । । ୪ ୪
ଦିବ୍ୟ ପୁରୁଷ ନବଋଷି । ମିଳିଲେ ଯଜ୍ଞଶାଳେ ଆସି । । ୪ ୫
ସେ ନବଋଷି ମହାଜନ । ଶୁଣ ହେ ତାହାଙ୍କ ବିଧାନ । । ୪ ୬
ବ୍ରହ୍ମାର ଶରୀରୁ ସମ୍ଭବ । ଯେ ମନୁ ନାମ ସ୍ୱାୟମ୍ଭୁବ । । ୪ ୭
ତା'ର ତନୟ ପ୍ରିୟବ୍ରତ । ସୁଗୁଣ ସାଧୁ ଶୁଚିବନ୍ତ । । ୪ ୮
ପ୍ରିୟବ୍ରତର ସୁତ ଯେହି । ଆଗ୍ନୀଧ୍ର ବୋଲି ନାମ ହୋଇ । । ୪ ୯
ଆଗ୍ନୀଧ୍ରସୁତ ନାଭି ନାମ । ସୁନ୍ଦର ସର୍ବଗୁଣଧାମ । । ୫ ୦
ଋଷଭ ତାହାର କୁମର । ସେ ବିଷ୍ଣୁଅଂଶେ ଅବତାର । । ୫ ୧
ତା'ର ମହିମା ଗୁଣ ଯେତେ । ଅନ୍ତ କେ କରୁ ତ୍ରିଜଗତେ । । ୫ ୨
ଅଶେଷ ମହିମା ଯାହାର । ଭରତ ତାହାର କୁମର । । ୫ ୩
ଶତେକ ପୁତ୍ରେ ଶ୍ରେଷ୍ଠ ସେହି । ଅପରେ ଊନଶତ ଭାଇ । । ୫ ୪
ସକଳେ ବେଦବିଦ୍ୟା ସାର । ପବିତ୍ରମୟ କଳେବର । । ୫ ୫
ଭରତ ଥାଇ ପୁଣ୍ୟକର୍ମେ । ଭାରତ ଭୂମି ଯା'ର ନାମେ । । ୫ ୬
ଭୁବନେ ରାଜଭୋଗ ଭୁଞ୍ଜି । ବନେ ପଶିଲା ରାଜ୍ୟ ତେଜି । । ୫ ୭
ତପେ ତୋଷିଲା ଭାବଗ୍ରାହୀ । ଜାତିସ୍ମର ସେ ଜନ୍ମ&ୁଁ ହୋଇ । । ୫ ୮
ଏମନ୍ତେ ତିନିଜନ୍ମ ଅନ୍ତେ । ପଶିଲା ବିଷ୍ଣୁପାଦଗତେ । । ୫ ୯
ଅଶେଷଦୁଃଖ ନାଶ ଗଲା । ଜନ୍ମ ମରଣୁଁ ନିସ୍ତରିଲା । । ୬ ୦
ଆର ଯେ ଊନଶତ ଭାଇ । ତା'ଙ୍କ ମହିମା ଶୁଣ ତୁହି । । ୬ ୧
ତାହାଙ୍କ ମଧ୍ୟେ ନବସୁତ । ସାଧୁ ସୁଗୁଣ ବଳବନ୍ତ । । ୬ ୨
ହୋଇଲେ ନବଦ୍ୱୀପେ ରାଜା । ସୁଖେ ପାଳିଲେ ଜନପ୍ରଜା । । ୬୩
ଏକ ଅଧିକେ ଅଶୀ ସୁତେ । ବେଦ ଅଭ୍ୟାସି ଦୃଢଚିତ୍ତେ । । ୬ ୪
ତପେ ଆରାଧି ନାରାୟଣ । ଜଗତେ ହୋଇଲେ ବ୍ରାହ୍ମଣ । । ୬ ୫
ଶେଷ ଯେ ନବସୁତ ଥିଲେ । ନିର୍ଗୁଣ ଯୋଗ ଅଭ୍ୟାସିଲେ । । ୬ ୬
ସେ ଆତ୍ମାଜ୍ଞାନୀ ସାଧୁ ଧୀର । ଜଟା ବିଭୂତି ଦିଗମ୍ବର । । ୬ ୭
ମିତ୍ର ଅଇରି ପକ୍ଷ ସମ । ଶୁଣ ହେ ତାହାଙ୍କର ନାମ । । ୬ ୮
ସେ କବି ହରି ଅନ୍ତରୀକ୍ଷ । ଏ ତିନି ଜ୍ଞାନେ ଧ୍ୟାନେ ଦକ୍ଷ । । ୬ ୯
ପ୍ରବୁଦ୍ଧ ଯେ ପିªଳାୟନ । ଷଷ୍ଠରେ ଆବିର୍ହୋତ୍ର ନାମ । । ୭ ୦
ଦ୍ରୁମିଳ ଚମସ ଏ ଦୁଇ । କରଭାଜନ ନବଭାଇ । । ୭ ୧
ଏମନ୍ତେ ନବ ସହୋଦରେ । ଆନନ୍ଦେ ଭ୍ରମନ୍ତି ସଂସାରେ । । ୭ ୨
ତାହାଙ୍କ ମନ କୃଷ୍ଣଦେହେ । କପଟ ତେଜି ଏକସ୍ନେହେ । । ୭ ୩
ଦେଖନ୍ତି ସର୍ବଜୀବ ଦେହେ । ଏକା ଗୋବିନ୍ଦ ଆନ ନୋହେ । । ୭୪
ପରମଆତ୍ମା ଭାବେ ମଜ୍ଜି । ଏକା ଗୋବିନ୍ଦ ପାଦେ ଭଜି । । ୭ ୫
ସେ ଅବ୍ୟାହତ ଇଷ୍ଟଗତି । ଏମନ୍ତେ ନବବିପ୍ରେ ଥା'ନ୍ତି । । ୭ ୬
ସିଦ୍ଧ ଗନ୍ଧର୍ବ ସୁରମେଳେ । ଯକ୍ଷକିନ୍ନର ରସାତଳେ । । ୭ ୭
ଶିବ ସୁରଭିପୁରେ ଥା'ନ୍ତି । ବ୍ରହ୍ମାର ଭୁବନେ ମିଳନ୍ତି । । ୭ ୮
ଏ ଆଦି ନାନା ଦେଶ ପୁରେ । ଭ୍ରମନ୍ତି ନବସହୋଦରେ । । ୭ ୯
ସେ ନବମୁନି ଏକଦିନେ । ମିଳିଲେ ନିମି ଯଜ୍ଞସ୍ଥାନେ । । ୮ ୦
ତାହାଙ୍କୁ ଯଜ୍ଞଶାଳେ ଦେଖି । ଜନକ ଆସନ ଉପେକ୍ଷି । । ୮ ୧
ଦେଖିଲେ ଦିବ୍ୟତେଜୋମୟେ । ରବିଶଶାଙ୍କ ସମ ନୋହେ । । ୮ ୨
ଅଗ୍ନି ଯେ କୁଣ୍ଡମଧ୍ୟେ ଥିଲେ । ବିପ୍ରଙ୍କ ସଙ୍ଗତେ ଉଠିଲେ । । ୮ ୩
ଜାଣିଲେ ବିଦେହରାଜନ । ଏ ସର୍ବେ କୃଷ୍ଣପରାୟଣ । । ୮ ୪
ଆନନ୍ଦମନେ ନୃପବର । ପୂଜିଲେ ମୁନିଙ୍କ ପୟର । । ୮ ୫
ପ୍ରଣାମ କରି ତା'ଙ୍କ ପାଦେ । ଆସନେ ବସାଇ ଆନନ୍ଦେ । । ୮ ୬
ଦେଖଇ ରୂପ ତାହାଙ୍କର । ଯେସନେ ବ୍ରହ୍ମାଙ୍କ କୁମର । । ୮ ୭
କରଯୁଗଳ ଶିରେ ଦେଇ । ବୋଲଇ ନିସ୍ତରିଲି ମୁହିଁ । । ୮ ୮
ତୁମ୍ଭ ଚରଣଯୁଗ ଦେଖି । ନିର୍ମଳ କଲି ଚର୍ମଆଖି । । ୮ ୯
ୁମ୍ଭେ ଯେ ନବ ବିପ୍ରବର । ନିଶ୍ଚୟେ କୃଷ୍ଣ ଅନୁଚର । । ୯୦
ସଂସାରେ ତୁମ୍ଭର ଭ୍ରମଣ । ଅଶେଷ ଲୋକ ପରିତ୍ରାଣ । । ୯ ୧
ଏ ଯେ ମନୁଷ୍ୟ କଳେବର । ଦୁର୍ଲ୍ଲଭ କ୍ଷଣିକ ଭଙ୍ଗୁର । । ୯ ୨
ତଥାପି ମନୁଷ୍ୟ ଶରୀରେ । ଯେ ଭଜେ ଗୋବିନ୍ଦ ପୟରେ । । ୯ ୩
ତାହାଙ୍କୁ ଦେଖନ୍ତି ଯେ ପ୍ରାଣୀ । ତରନ୍ତି ଭବତରଙ୍ଗିଣୀ । । ୯ ୪
କ୍ଷଣେ ନିମିଷେ ଲବେ ଲେଶେ । ଯେବେ ସେ ସାଧୁଜନ ପାଶେ । । ୯ ୫
ଚିତ୍ତେ ଚିନ୍ତଇ କୃଷ୍ଣଭାବ । ତାହାକୁ ବୋଲି ନିଧିଲାଭ । । ୯ ୬
ସେ ଲାଭ ତୁମ୍ଭର ବଚନ । ମୁଁ ଯେବେ ଶୁଣିତେ ଭାଜନ । । ୯ ୭
ଯେ ଧର୍ମ ଆଚରଣେ ପ୍ରାଣୀ । ନିଶ୍ଚେ ଲଭନ୍ତି ଚକ୍ରପାଣି । । ୯ ୮
ସେ ହରି ତା'ଙ୍କ ବଶେ ଥାଇ । ଏ ମାୟା ତା'ଙ୍କୁ ନ ଲାଗଇ । । ୯ ୯
ଏମନ୍ତେ ନିମିବାକ୍ୟ ଶୁଣି । ବୋଲନ୍ତି ନବମହାମୁନି । । ୧୦୦
ଶୁଣ ହେ ରାଜା ଏକ ଚିତ୍ତେ । ଯାହା କହିଲେ ଭାଗବତେ । । ୧୦୧

କବି ଉବାଚ

କବି ବୋଲନ୍ତି ରାୟେ ଶୁଣ । ଯେ ଭାଗବତ ଧର୍ମ ଗୁଣ । । ୧୦୨
ନାନା ପ୍ରକାରେ ହରିପାଦେ । ଯାହାର ଚିତ୍ତ ଅପ୍ରମାଦେ । । ୧୦୩
ଭଜଇ ଜାଣି ବିଷ୍ଣୁମାୟା । ସେ ହରି ତା'ରେ କରେ ଦୟା । । ୧୦୪
ବିଷ୍ଣୁର ଅଭୟ ଚରଣ । ମଙ୍ଗଳ କୁଶଳ କାରଣ । । ୧୦୫
ଅଶେଷ ଦୁଃଖ ନାଶକରେ । ଯେ ନିତ୍ୟେ କୃଷ୍ଣନାମ ଧରେ । । ୧୦୬
ଦେହ ସମ୍ପଦ ଦାରା ସୁତ । ଏଣେ ମୋହିତ ଯା'ର ଚିତ୍ତ । । ୧୦୭
କାମ ସଙ୍କଳ୍ପ ଦିନେ ଦିନେ । ବଢ଼ଇ ବିଷୟ-ଚିନ୍ତନେ । । ୧୦୮
ମାୟାରେ ମନ ଆଗୋଚରେ । ଭ୍ରମଇ ଅଶେଷ ପ୍ରକାରେ । । ୧୦୯
କୃଷ୍ଣର ଅଭୟ ଚରଣ । ଅଶେଷ ଦୁଃଖ ନିବାରଣ । । ୧୧୦
ହରି ଚରଣ ଲାଭ ଅର୍ଥେ । ନାନା ଉପାୟ ଶାସ୍ତ୍ରଗତେ । । ୧୧୧
ଯାହା କହିଲେ ଚକ୍ରଧର । ସେ ଭାଗବତ ଧର୍ମସାର । । ୧୧୨
ଭାବେ ଅଭାବେ ମନେ ଗୁଣି । ମୂର୍ଖ ହିଁ ତରେ ଯାହା ଶୁଣି । । ୧୧୩
ଏଣେ ଯେ ଚିନ୍ତେ କୃଷ୍ଣପାଦ । ତାହାକୁ ନ ଲାଗେ ପ୍ରମାଦ । । ୧୧୪
ହୃଦେ ଗୋବିନ୍ଦପାଦ ଧ୍ୟାୟି । ନୟନ ବୁଜି ଯେବେ ଧାଇଁ । । ୧୧୫
ପଥ ନ ଜାଣି ଯେବେ ହୁଡ଼େ । ସେ ପ୍ରାଣୀ କେବେହେଁ ନ ପଡ଼େ । । ୧୧୬
ବେଦବଚନ ଧର୍ମଶାସ୍ତ୍ର । ଏ ବେନି ବିପ୍ରଙ୍କର ନେତ୍ର । । ୧୧୭
ଏକ ନ ଥିଲେ କାଣ ହୋଇ । ଦୁଇ ଆଭାବେ ଅନ୍ଧ ସେହି । । ୧୧୮
ଏମନ୍ତ ବିପ୍ର ଯେବେ ଚିତ୍ତେ । କୃଷ୍ଣଙ୍କୁ ଭଜେ ଅବିରତେ । । ୧୧୯
ତାହାର ଅମଙ୍ଗଳ ନାହିଁ । ସକଳ ପାପୁ ସେ ତରଇ । । ୧୨୦
ଏ ଧର୍ମ ଭାଗବତ ମତ । ଈଶ୍ବର ବଚନ ନିର୍ମିତ । । ୧୨୧
ଏହା ଯେ ନ କରନ୍ତି ପ୍ରାଣୀ । ଧର୍ମ-ସଂଶୟ ମନେ ଗୁଣି । । ୧୨୨
କେବେ ହେଁ ନାହିଁ ସୁଖଲେଶ । ଉଭୟ ଲୋକେ ସେ ନିରାଶ । । ୧୨୩
ମନ ବଚନ ଦେହ ଚିତ୍ତ । ଅବା ଇନ୍ଦ୍ରିୟ ବୁଦ୍ଧିକୃତ । । ୧୨୪
କିବା ସ୍ୱଭାବ ଅନୁସାରେ । ଯେ କର୍ମ କରି ଏ ସଂସାରେ । । ୧୨୫
ତା' ନାରାୟଣେ ସମର୍ପିବ । ଜୀବର ସ୍ୱଧର୍ମ ଏ ଭାବ । । ୧୨୬
ଏ ଭାଗବତ ଧର୍ମ ଗୁଣ ।ଈଶ୍ବର ବଚନ ପ୍ରମାଣ । । ୧୨୭
ଏଣେ ସକଳ ଜ୍ଞାନ ପାଇ । ଅଜ୍ଞାନତମ ନାଶ ଯାଇ । । ୧୨୮
ଶୁଣ ବିଦେହ ମହୀପତି । ଯେ ହରିଭାବ ନ ଜାଣନ୍ତି । । ୧୨୯
ନାନା ପ୍ରକାରେ ତପ କରେ । ସେ ପ୍ରାଣୀ ସଂସାରୁ ନ ତରେ । । ୧୩୦
ହରି ବିମୁଖ ପ୍ରାଣୀ ଯେତେ । ସେ ଥା'ନ୍ତି ପଶୁଙ୍କ ସଙ୍ଗତେ । । ୧୩୧
ତାହାଙ୍କ ମୋହେ ବିଷ୍ଣୁମାୟା । ବିଷୟା ରସେ ବଢ଼େ ସ୍ପୃହା । । ୧୩୨
ଦେହକୁ ବସ୍ତୁପ୍ରାୟ ମଣେ । ବଇରୀ ମିତ୍ର ପରିମାଣେ । । ୧୩୩
ଭ୍ରମଇଁ ଶୋକ ମୋହ ପଥେ । ଅଜ୍ଞାନ ବୁଦ୍ଧି ଭ୍ରମ ଗ୍ରସ୍ତେ । । ୧୩୪
ତେଣୁ ସଂସାର ମୋହେ ଜଡି । ଦୁଃଖ ସଙ୍କଟେ ଥା'ନ୍ତି ପଡ଼ି । । ୧୩୫
ଯା'ର ମାୟାରେ ଏତେ ଗତି । ତା' ଭାବ ବୁଧଜନେ ଚିନ୍ତି । । ୧୩୬
କୃଷ୍ଣ ଭଜନ୍ତି ଏକମନେ । ନିର୍ମଳ ଧ୍ୟାନେ ଆତ୍ମାଜ୍ଞାନେ । । ୧୩୭
ଗୁରୁଙ୍କୁ ଇଷ୍ଟଦେବ ଭାବେ । ମନେ ଚିନ୍ତନ୍ତି ଜ୍ଞାନଲାଭେ । । ୧୩୮
ଜୀବ ଅଜ୍ଞାନଭାବ ଦେଖ । ଦୁଃଖକୁ ମଣେ ମହାସୁଖ । । ୧୩୯
ଯେସନେ ସ୍ୱପ୍ନ ମନୋରଥେ । ଭ୍ରମଇଁ ନିଦ୍ରାର ଆୟତ୍ତେ । । ୧୪୦
ମଣଇଁ ସତ୍ୟପ୍ରାୟ ତାହା । ମନ ବିଳାସ ମାତ୍ର ମାୟା । । ୧୪୧
ଏ ମନ କୃଷ୍ଣପାଦେ ଦେଲେ । ଏ ମାୟା ନ ଲାଗଇ ଭଲେ । । ୧୪୨
ଦୁର୍ଗମ ପଥ ଏ ଭଜନା । ଭୟେ ଭାଜିଲେ ଯୋଗୀଜନ । । ୧୪୩
ଏବେ କହିବା ଶୁଣ ରାୟ । ସେ ହରି ଭଜନ ଉପାୟ । । ୧୪୪
କୃଷ୍ଣର ଜନ୍ମକର୍ମ ଯେତେ । ନାନା ଚରିତ ଏ ଜଗତେ । । ୧୪୫
ଶ୍ରବଣ ସ୍ମରଣ କୀର୍ତ୍ତନ । ତାରଇ ଅଶେଷ ଭୁବନ । । ୧୪୬
ସେ ନାମଭାବେ ଚିତ୍ତ ଜଡି । ହୃଦରୁ ଲାଜଭୟ ଏଡି । । ୧୪୭
କାମାଦି ସଙ୍ଗ ଦୂର କରି । ଏ ଘୋର ସଂସାରେ ବିହରି । । ୧୪୮
ଉଚ୍ଚେ ଡ଼ାକିବ କୃଷ୍ଣ ନାମ । ଶୁଭିବ ସକଳ ଶ୍ରବଣ । । ୧୪୯
ଆନନ୍ଦେ ତୋଳି ବେନିକର । କଷ୍ଠ ଗର୍ଜନ ଉଚ୍ଚସ୍ୱର । । ୧୫୦
ଉନ୍ମତ୍ତ ପ୍ରାୟ ନୃତ୍ୟ କରେ । ଲୋଭ ବେଭାର ପରିହାରେ । । ୧୫୧
ଗଗନ ସମୀରଣ ଜ୍ୟୋତି । ଯେ ଅବା ସଲିଳ ଧରିତ୍ରୀ । । ୧୫୨
ନଦୀ ସାଗର ତରୁଗଣ । ପର୍ବତ ସ୍ଥାବର ଜଙ୍ଗମ । । ୧୫୩
ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତର । ଏ ସର୍ବ କୃଷ୍ଣର ଶରୀର । । ୧୫୪
ନିଶ୍ଚୟ ଜାଣି ଏକଚିତ୍ତେ । ପ୍ରଣାମ କରୁଥିବ ନିତ୍ୟେ । । ୧୫୫
ଅମୃତ ବିନୟ ବଚନ । କହି ତୋଷିବ ପ୍ରାଣୀମନ । । ୧୫୬
ଏ ଭାବେ ଲଭି କୃଷ୍ଣପାଦ । ହରିବ ବିଷୟା ବିଷାଦ । । ୧୫୭
ଶୁଣ ରାଜନ ପୁଣ୍ୟଦେହା । ତୁ ଅବା ପଚାରିବୁ ଏହା । । ୧୫୮
ଯୋଗୀଏ ଯୋଗତପବଳେ । ଭ୍ରମନ୍ତି ଭାରତ ମଣ୍ଡଳେ । । ୧୫୯
ନିର୍ମଳ ଜ୍ଞାନେ ହୃଦଗତେ । ଯାହା ଚିନ୍ତନ୍ତି ଏକଚିତ୍ତେ । । ୧୬୦
ଅନେକ ଜନେ ଯାହା ସାଧି । ବହୁ ଦୁର୍ଲ୍ଲଭ ଯେଉଁ ସିଦ୍ଧି । । ୧୬୧
ଶ୍ରୀକୃଷ୍ଣ ନାମର କୀର୍ତ୍ତନେ । କେମନ୍ତେ ଲଭେ ଏକ ଜନ୍ମେ । । ୧୬୨
ଶୁଣ ହେ ରାଜା ମନ ଦେଇ । ଉତ୍ତମ ଶିଷ୍ୟେ ଏହା କହି । । ୧୬୩
ଯେ ଭକ୍ତିଯୋଗ ପ୍ରାଣୀଙ୍କର । ଶ୍ରବଣ କୀର୍ତ୍ତନ ଗୋଚର । । ୧୬୪
ଏଣୁ ସେ ତତ୍ତ୍ୱଜ୍ଞାନ ସ୍ପୁରେ । ବିଷୟ ରସ ନ ସୁମରେ । । ୧୬୫
ଏ ତିନି ଏକକାଳେ ହୋଇ । ପରମ ପ୍ରେମକୁ ଲଭଇ । । ୧୬୬
ବଢଇ ଦିନେ ଦିନେ ଜ୍ଞାନ । ଜନ୍ତୁଙ୍କୁ ଭୋଜନ ଯେସନ । । ୧୬୭
ଅନ୍ନ ଭୋଜନେ ପ୍ରତିଗ୍ରାସ । କ୍ଷୁଧା ପିପାସା କରେ ନାଶ । । ୧୬୮
ସନ୍ତୋଷେ ତୁଷ୍ଟି ପୁଷ୍ଟି ଲଭେ । ସୁଖ ଉଦୟ ହୁଏ ତେବେ । । ୧୬୯
କୃଷ୍ଣ ଭଜନ ଏହିମତେ । ଜ୍ଞାନୀ ସାଧନ୍ତି ଏ ଜଗତେ । । ୧୭୦
ଜନ୍ମଇଁ ବିଷୟ ବୈରାଗ୍ୟ । ମାୟା ଜଡ଼ିତ ସୁଖ ତ୍ୟାଗ । । ୧୭୧
ଅଜ୍ଞାନ ହରେ ଦିବ୍ୟଜ୍ଞାନ । ଏ ଅନୁଭବ ଅଭ୍ୟାସନେ । । ୧୭୨
ଆନନ୍ଦ ରସ ପାଇ ନିତି । ଚିତ୍ତେ ପ୍ରବେଶ ହୋଏ ଶାନ୍ତି । । ୧୭୩
ଶାନ୍ତି ଭଜଇ ସୁଖଭରେ । ତି୍ରଗୁଣ ତାପୁଁ ସେ ନିସ୍ତରେ । । ୧୭୪
ଏମନ୍ତେ କବିର ବଚନ । ଜନକ ଶୁଣି ତୋଷମନ । । ୧୭୫
ସୁଖ ସଙ୍କଳ୍ପେ କୃତକୃତ୍ୟ । ବୋଲଇ ଦାସ ଜଗନ୍ନାଥ । । ୧୭୬
ପୁରାଣ କହିଲଇଁ ଗୀତେ । ସୁଜନ ଜନଙ୍କର ହିତେ । । ୧୭୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଏକାଦଶସ୍କନ୍ଧେ ଦ୍ୱିତୀୟୋଦ୍ଧଧ୍ୟାୟଃ