Page:Sarala Bhashatattwa.pdf/108

From Wikisource
Jump to navigation Jump to search
This page has been proofread.

ସରଳ ଭାଷାତତ୍ତ୍ଵ ୧୦୩

ଶବ୍ଦମାନଙ୍କର ରୂପଗତ ଓ ଅର୍ଥଗତ ଆଲୋଚନା କରି ସେମାନଙ୍କର ସମୀକରଣଦ୍ଵାରା ମୂଳ ଆର୍ଯ୍ୟଭାଷାରେ ପ୍ରଚଳିତ ଶବ୍ଦ ଓ ଅର୍ଥର ଇଙ୍ଗିତ ମିଳେ ଓ ଭାଷାରେ ପ୍ରଚଳିତ ଶବ୍ଦର ଅନୁକରଣ କରି ଭାଷାଭାଷୀମାନଙ୍କର ମାନସିକ ଉନ୍ନତିର ଓ ଜୀବନଯାତ୍ରା ପ୍ରଣାଳିର ଆଭାଷ ମଧ୍ୟ ପାଇବା ସମ୍ଭବ । ଦୁଇ ଚାରୋଟି ଉଦାହରଣ ଦ୍ଵାରା ଏହାର ସ୍ପଷ୍ଟ ବ୍ୟାଖ୍ୟା କରାଯାଇପାରେ । ପୂର୍ବକାଳରେ ଗବାଦି ପଶୁକୁ ଗୋ ଧନରୂପରେ ବ୍ୟବହୃତ କରାଯାଉଥିଲା, ତାହାର ଇଙ୍ଗିତ ଆମ୍ଭେମାନେ ଲାଟିନ pecus ଓ ଇଂରାଜୀ fee ଶବ୍ଦର 'ଧନ' ଅର୍ଥରେ ବ୍ୟବହାରରୁ ସ୍ପଷ୍ଟ ଉପଲବ୍ଧି କରିପାରୁଁ । ପୁଣି ସେମାନଙ୍କ ମଧ୍ୟରେ ବିବାହରୀତି ଯେ ପ୍ରଚଳିତ ଥିଲା, ତାହା ଶ୍ଵଶୁର ପ୍ରଭୃତି ଶବ୍ଦର ବ୍ୟବହାରରୁ ମଧ୍ୟ ଜଣାଯାଇ ପାରେ । ଆଦିମ ଆର୍ଯ୍ୟମାନଙ୍କ ମଧ୍ୟରେ ଚାନ୍ଦ୍ର ମାସ ପ୍ରଚଳିତ ଥିବାର ଇଙ୍ଗିତ ଆମ୍ଭେମାନେ ଇଂରାଜୀ month ଓ moon ପ୍ରଭୃତିରୁ ପାଇଥାଉଁ ଓ ସେମାନେ ଯେ ଦ୍ଵାରସମ୍ଵଳିତ ଗୃହରେ ବାସ କରୁଥିଲେ,ତାହା ଶାଳା,ଦ୍ଵାର ପ୍ରଭୃତିର ଅନୁରୂପ ଶବ୍ଦର ବ୍ୟବହାର ଇଂରାଜୀ ଭାଷାରେ ଥିବାରୁ ସହଜରେ ଅନୁମାନ କରାଯାଇ ପାରେ । 'ବୟନ' ଓ 'weave' ଶବ୍ଦର ସମୀକରଣଦ୍ଵାରା ପୁରାକାଳୀନ ଆର୍ଯ୍ୟମାନଙ୍କ ମଧ୍ୟରେ ବସ୍ତ୍ରର ପ୍ରଚଳନ ଉପଲବ୍ଧି କରାଯାଇ ପାରେ । ପୁଣି କୃଷିକର୍ମରେ ବ୍ୟବହୃତ ଶବ୍ଦମାନଙ୍କର ସମ୍ଭାର ଦେଖି ସେମାନଙ୍କର ଅଧିକାଂଶ ସମୟ କୃଷିକାର୍ଯ୍ୟରେ ବ୍ୟୟିତ ହେଉଥିବାର ମଧ୍ୟ ଅନୁମାନ କରାଯାଇ ପାରେ । ସାଧାରଣ ଧାତୁ ମଧ୍ୟରେ ଲୌହ ଓ ସ୍ଵର୍ଣ୍ଣ ସହିତ ସେମାନେ ପରିଚିତ ଥିଲେ ଓ ଅସ୍ତ୍ରଶସ୍ତ୍ରାଦିର ନିର୍ମାଣ ପ୍ରଚଳିତ ଥିବାରୁ ପଶୁବଧ ମଧ୍ୟ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟର ଅନ୍ତର୍ଗତ ଥିଲା ବୋଲି ଜଣାଯାଏ ।ଏହିପରି ଭାବରେ ଶବ୍ଦମାନଙ୍କର ଅନୁସରଣ କରି ଆଦିମ ଆର୍ଯ୍ୟମାନଙ୍କ ଜୀବନ ବିଷୟରେ ଆମ୍ଭେମାନେ ଏକ ପୂର୍ଣ୍ଣ ଚିତ୍ର ପାଇଥାଉଁ । ଏ କ୍ଷେତ୍ରରେ ଇତିହାସ ନିରବ, ମାତ୍ର ଭାଷାତତ୍ତ୍ଵ ପ୍ରାମାଣିକ ତଥ୍ୟ ଦେବାରେ ସମର୍ଥ ।
ମୂଳ ଆର୍ଯ୍ୟ ଭାଷାର ଧାତୁମାନଙ୍କୁ ଅନୁସରଣ କରି ଭାଷାତତ୍ତ୍ଵବିଦ୍‌ମାନେ ଦେଖିଅଛନ୍ତି ଯେ, ମୂଳତଃ ଆର୍ଯ୍ୟ ଭାଷାରେ ତିନି ଶତରୁ ଅଧିକ ଧାତୁ ପ୍ରଚଳିତ ଥିଲା ଓ ଏହି ମୂଳ ଧାତୁମାନଙ୍କ ମଧରୁ କେତେକ ସଂସ୍କୃତରେ ଅପ୍ରଚଳିତ ହୋଇ ଯାଇଥିଲେହେଁ ଅନ୍ୟ ଦିଗରେ ସଂସ୍କୃତରେ ଶତ ଶତ ଶବ୍ଦ ନାନା ରୂପରେ ନାନା ଅର୍ଥରେ ଆର୍ଯ୍ୟଗୋଷ୍ଠୀ ଅନ୍ତର୍ଗତ ବିଭିନ୍ନ ଭାଷାରେ ବ୍ୟବହୃତ ହେଉଅଛି ଓ ବର୍ତ୍ତମାନ ଏସବୁ ଶବ୍ଦ ମଧ୍ୟରେ ସମ୍ପର୍କ ସ୍ଵୀକାର ବା ଏମାନଙ୍କର ସମୀକରଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ । ପ୍ରାଚୀନ ମୂଳ ଆର୍ଯ୍ୟ 'ମକ' ଧାତୁ ମୂଳ ଭାଷାରେ 'ମଗ୍' ଓ 'ମଘ୍'