Page:Jati, Jagruti o Pragati.pdf/8

From Wikisource
Jump to navigation Jump to search
This page has been proofread.

ଜାତି, ଜାଗୃତି ଓ ପ୍ରଗତି

ଆଉ କେତେଦିନ ଚେଇଁ ଶୋଇବା

“ଓଡ଼ିଆମାନେ ପ୍ରତିବାଦ କରିବାକୁ ଭଲପାଆନ୍ତି ନାହିଁ ବୋଲି ସେମାନେ ଗରିବ । ସେଥିପାଇଁ ସବୁ ଅନ୍ୟାୟକୁ ସହିଯାଆନ୍ତି” - ଏହା ଥିଲା ୧୯୧୮ ମସିହାରେ ବିହାର-ଓଡ଼ିଶା ରାଜ୍ୟରେ ବିହାରୀଙ୍କଦ୍ଵାରା ଓଡ଼ିଶା ଓ ଓଡ଼ିଆଙ୍କପାଇଁ ହେଉଥିବା ଅନ୍ୟାୟ ବିରୁଦ୍ଧରେ ବ୍ରିଟିଶ୍ ପାର୍ଲିଆମେଣ୍ଟ ଅଧିବେଶନରେ ଜଣେ ବ୍ରିଟିଶ୍ ସଭ୍ୟଙ୍କ କ୍ଷୋଭପୂର୍ଣ୍ଣ ଉକ୍ତି ।

ଏବେ କିନ୍ତୁ ସ୍ଥିତି ବଳିଯାଇଛି । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୋଇଛି । ଇଂରେଜ ଉପନିବେଶ ଶାସନରୁ ଭାରତ ମୁକ୍ତି ପାଇବାର ୬୦ବର୍ଷ ଧରିଲାଣି, ପରମ୍ପରା ସହ ଆଧୁନିକତାର ଝଲକରେ ଓଡ଼ିଶା ଝଲସି ଉଠିଲାଣି । ସରକାର ଶିଳ୍ପପତିଙ୍କୁ ଡାକିଆଣି ଶିଳ୍ପର ବିକାଶ କଲେଣି । ଜନତା ମଧ୍ୟ ସହଯୋଗ କରୁଛନ୍ତି । ମୋଟ୍ ଉପରେ କହିବାକୁ ଗଲେ ସବୁକ୍ଷେତ୍ରରେ ପରିବର୍ତ୍ତନ ଘଟିଛି ଏହି ସମୟ ମଧ୍ୟରେ ।

କିନ୍ତୁ ଦୁଃଖର କଥା ଏପର୍ଯ୍ୟନ୍ତ ଗୋଟିଏ କଥାରେ କିଛି ବି ପରିବର୍ତ୍ତନ ହୋଇନାହିଁ; ବରଂ ଏହାର ସ୍ଥତି ଆହୁରି ସୁଦୃଢ଼ ହେଉଛି । ତାହା ହେଉଛି ଅନ୍ୟାୟ ବିରୁଦ୍ଧରେ ଓଡ଼ିଆ ଜାତି ପ୍ରତିବାଦ ନ କରିବା, ଯାହାକୁ ବ୍ରିଟିସ୍ ପାର୍ଲିଆମେଣ୍ଟର ତତ୍କାଳୀନ ସଦସ୍ୟ ଅନୁଭବ କରିଥିଲେ । ନିଜର ଅଧିକାର ପ୍ରତଷ୍ଠାପାଇଁ, ଶାନ୍ତିପୂର୍ଣ୍ଣ ସହାବସ୍ଥାନପାଇଁ, ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାପାଇଁ, ସର୍ବୋପରି ଅନ୍ୟର ଇଚ୍ଛାରେ ମିଳଥିବା ଓଡ଼ିଶା ନାମକ ଭୂଖଣ୍ଡକୁ ଅନ୍ୟ ଭୂମିଲିପ୍‌ସୁ ରାଜ୍ୟମାନଙ୍କଠାରୁ ସୁରକ୍ଷିତ ରଖିବାପାଇଁ; ଏହି ପ୍ରତିବାଦର ଯେ ପ୍ରଭୂତ ଆବଶ୍ୟକତା ରହିଛ, ତାହା ଏବେ ମଧ୍ୟ ଆମ ଓଡ଼ିଆଏ ବୁଝିପାରିଲେ ନାହିଁ । ବିଶେଷକରି ପ୍ରାକୃତକି ସଂପଦପୂର୍ଣ୍ଣ ଆମ ସୀମାନ୍ତ ଅଞ୍ଚଳକୁ ପଡ଼ୋଶୀ ରାଜ୍ୟଗୁଡକ ଦଖଲକୁ ନେବାପାଇଁ ଯେଉଁଭଳି କାର୍ଯ୍ୟ କରୁଛନ୍ତି, ସେ ସଂପର୍କରେ ସରକାରଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ କେହି ସ୍ୱାଭିମାନୀ ଓଡ଼ିଆ ପ୍ରତିବାଦ କରୁନାହାନ୍ତି କାହିଁକି ?